ସ୍ପଷ୍ଟ ଦିବାଲୋକରେ ବଡ଼ ଧରଣର ଲୁଟ୍‌. ଏଟିଏମ ଭ୍ୟାନରୁ ଲୁଟିନେଲେ ଦେଢକୋଟି ଟଙ୍କା

0 107

କଟକ : କଟକ ଜିଲ୍ଲାରେ ଆଜି ଘଟିଛି ଏକ ବଡ଼ ଧରଣର ଡକାୟତି । ଏଟିଏମରେ ଟଙ୍କା ଭରିବାକୁ ଯାଉଥିବା ଏକ ଭ୍ୟାନରୁ ଲୁଟି ନେିଛନ୍ତି ଦେଢ କୋଟି ଟଙ୍କା;ତାହାପୁଣି ସ୍ପଷ୍ଟ ଦିବାଲୋକରେ! ଲୁଟେରାମାନଙ୍କୁ ଧରିବା ପାଇଁ ପୁଲିସ ଜୋରଦାର ଉଦ୍ୟମ ଚଳାଇଛି । ଆଠଗଡ଼କୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବ୍ଲକିଂ କରି ଗାଡ଼ି ଯାଞ୍ଚ କରାଯାଉଛି । ଏହି ଘଟଣା ସମଗ୍ର ଜିଲ୍ଳାରେ ଚାଞ୍ଚଲ୍ୟ ଖେଳାଇଦେଇଛି ।
ତିଗିରିଆ ଥାନା ଗୋଡିଝରିଆ ନିକଟରେ ଘଟିଛି ଏହି ଘଟଣା । ଲୁଟ୍‌ ହୋଇଥିବା ଟ୍ରଙ୍କରେ ଦେଢ କୋଟିରୁ ଅଧିକ ଟଙ୍କା ଥିବା କୁହାଯାଉଛି । ଆଜି ସିକ୍ୟୋର ଭାଲ୍ୟୁ ନାମକ ସଂସ୍ଥାର କର୍ମଚାରୀମାନେ ଆଠଗଡ ଏସ୍‌ବିଆଇରୁ ଟଙ୍କା ଉଠାଇ ବିଭିନ୍ନ ଏଟିଏମ୍‌ରେ ଭରିବାକୁ ଯାଇଥିଲେ । ସେମାନେ ୨ କୋଟିରୁ ଅଧିକ ଟଙ୍କା ଉଠାଇଥିଲେ । ମୋଟ ୧୩ଟି ଏଟିଏମ୍‌ରେ ସେମାନେ ଏହି ଟଙ୍କା ଭରି ଥାଆନ୍ତେ । ତେବେ ମାତ୍ର ଚାରୋଟି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପରେ ସେମାନେ ଲୁଟ୍‌ର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ସିକ୍‌ୟୋର ଭାଲ୍ୟୁ ସଂସ୍ଥା ପକ୍ଷରୁ ଟଙ୍କା ନେଇ ଯାଉଥିବା ଗାଡିରେ ଜଣେ ସୁରକ୍ଷା କର୍ମଚାରୀଙ୍କୁ ମିଶାଇ ମୋଟ ଚାରି ଜଣ ଥିଲେ । ସେମାନେ ଗୋଡିଝରିଆରେ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରି ଫେରୁଥିବା ବେଳେ ଏକ ନିଛାଟିଆ ସ୍ଥାନରେ ଗାଡି ଉପରକୁ ଏକ ପଥର ମାଡ ହୋଇଥିଲା । ତେଣୁ ଡ୍ରାଇଭର ଗାଡିର ବେଗ କମାଇ ଦେଇଥିଲେ । ସେତେବେଳେ ଏକ ସ୍କର୍ପିଓ,ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି ସେମାନଙ୍କ ବାଟ ଓଗାଳିଥିଲେ । ଏହି ସବୁ ଗାଡିରେ ଆସିଥିବା ୮ରୁ ଅଧିକ ଲୋକ ମୁହଁରେ କପଡା ବାନ୍ଧିଥିଲେ । ସେମାନଙ୍କ ହାତରେ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଥିଲା । ସିକ୍‌ୟୋର ଭାଲ୍ୟୁ ସଂସ୍ଥାର ଗାଡି ଅଟକି ଯିବା ପରେ ଦୁର୍ବୃତ୍ତମାନେ ଗାଡିରୁ ଓହ୍ଲାଇ ଆସି କେହି କିଛି ବୁଝିବା ପୂର୍ବରୁ ସମସ୍ତଙ୍କ ମୁଣ୍ଡରେ ବନ୍ଧୁକ ରଖି ଦେଇଥିଲେ । ଗାଡିରେ ଥିବା ସୁରକ୍ଷାକର୍ମଚାରୀଙ୍କ ଠାରୁ ବନ୍ଧୁକ ଛଡାଇ ନେଇଥିଲେ । ସମସ୍ତଙ୍କ ଠାରୁ ମୋବାଇଲ ଛଡାଇ ନେବା ସହ ଗାଡି ଠାରୁ ଦୂରରେ ଛିଡା ହେବାକୁ କହିଥିଲେ ଓ ଗାଡିରେ ଥିବା ଟଙ୍କା ଭର୍ତ୍ତି ଟ୍ରଙ୍କ ନେଇ ଫେରାର ହୋଇଯାଇଥିଲେ ।
ସିକ୍‌ୟୋର ଭାଲ୍ୟୁର ଲୋର୍ଡର ବୟ ସଞ୍ଜୟ ସ୍ୱାଇଁ କହିଛନ୍ତି,ସବୁଦିନ ଭଳି ଆଜି ମଧ୍ୟ ଏସ୍‌ବିଆଇରୁ ଟଙ୍କା ଉଠାଇଥିଲୁ । ମାଧପୁର ଏଟିଏମ୍‌, ଆଠଗଡରେ ଦୁଇଟି ଏଟିଏମ୍‌ ଓ ଗୋଡିଝରିଆରେ ଗୋଟିଏ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିଥିଲୁ । ଗୋଡିଝରିଆରେ ଟଙ୍କା ଭର୍ତ୍ତି କରି ଅନ୍ୟ ଏଟିଏମ୍‌କୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଟଙ୍କା ଭର୍ତ୍ତି ଟ୍ରଙ୍କ ନେଇ ଯାଇଥିଲେ । ଦୁର୍ବୃତ୍ତମାନେ ଓଡିଆରେ କଥା ହେଉଥିଲେ । ସେମାନେ ଆମକୁ ଗାଳିଗୁଲଜ କରିଥିଲେ । ଆହୁରି ୯ଟା ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାର ଥିଲା । ଟ୍ରଙ୍କରେ ଦେଢ କୋଟିରୁ ଅଧିକ ଟଙ୍କା ଥିଲା । ଏହି ଘଟଣା ପରେ ତିଗିରିଆ ଓ ଆଠଗଡ ପୁଲିସ୍‌ ପକ୍ଷରୁ ତନାଘନା ଜାରି ରହିଛି । ଆଠଗଡରେ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇଛି । ଏହା ସହିତ ଟଙ୍କା ନେଇ ଯାଉଥିବା ସମସ୍ତ କର୍ମଚାରୀଙ୍କୁ ପୁଲିସ ପକ୍ଷରୁ ପଚରାଉଚରା କରାଯାଉଛି । ଅନେକ ସମୟରେ ଦେଖାଯାଇଛି, ଏଭଳି ଲୁଟ୍‌ରେ ସାଧାରଣତଃ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା କର୍ମଚାରୀମାନଙ୍କର ହାତ ଥାଏ । ଏହି କ୍ଷେତ୍ରରେ ସେଭଳି କିଛି ଘଟିଛି ନା ନାହିଁ,ସେ ଦିଗରେ ବି ପୁଲିସ୍‌ ତଦନ୍ତ କରୁଛି । କଟକ ଗ୍ରାମାଞ୍ଚଳ ଏସ୍‌ପି ମିହିର ପଣ୍ଡା କହିଛନ୍ତି,ଆମେ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିଛୁ । ପଡୋଶୀ ଜିଲ୍ଲାଗୁଡିକ ସହିତ ଯୋଗାଯୋଗରେ ଅଛୁ । ଘଟଣାର ତଦନ୍ତ କରିବା ପାଇଁ ଓ ଲୁଟେରାମାନଙ୍କୁ ଧରିବା ପାଇଁ ୩ଟି ଟିମ୍‌ ଗଠନ କରାଯାଇଛି ।
/

hiranchal ad1
Leave A Reply

Your email address will not be published.

nineteen + nine =