ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ,
କେନ୍ଦ୍ରରେ ତାଲା ପକାଇଲେ ଶତାଧିକ ମହିଳା

0 179

ବାଲିଗୁଡ଼ା: ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ବହିଷ୍କାର ଦାବିରେ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇଲେ ଶତାଧିକ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଉପାନ୍ତ କୋଟଗଡ଼ ବ୍ଲକ୍‌ ଅନ୍ତର୍ଗତ ବି.ରାଣିପାଙ୍ଗା ଗ୍ରାମରେ । ସୂଚନା ପ୍ରକାରେ ବି.ରାଣିପାଙ୍ଗା ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟରତ କର୍ମୀ ନିରୁପମା ପ୍ରଧାନ ଦୀର୍ଘ ଦୁଇ ବର୍ଷ ହେବ କେନ୍ଦ୍ର ଠିକ୍‌ ଭାବରେ ଚଳାଉନାହାନ୍ତି । ଅଧିକାଂଶ ସମୟରେ କେନ୍ଦ୍ର ବନ୍ଦ ରହୁଥିବା ବେଳେ ଶିଶୁ ଓ ପ୍ରସୂତିଙ୍କ ପାଇଁ ଆସୁଥିବା ସରକାରୀ ସହାୟତା ଓ ଖାଦ୍ୟ ସାମଗ୍ରୀ ନିଜେ ହଡ଼ପ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ଗ୍ରାମବାସୀ ବାରମ୍ବାର କୋଟଗଡ଼ ବିଡ଼ିଓ ଏବଂ ସିଡିପିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ୍‌ କୌଣସି ସୁଫଳ ମିଳିନଥିବା କହିଛନ୍ତି ଅଞ୍ଚଳବାସୀ । ବି.ରାଣିପାଙ୍ଗା ଗ୍ରାମରେ ୫୦୦ରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ଦିନକୁ ଦିନ ସମସ୍ୟା ମଧ୍ୟ ବଢିବାରେ ଲାଗିଛି । ସେପଟେ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀ ଜଣକ ଗ୍ରାମବାସୀଙ୍କୁ ଓଲଟା ଧମକ ଦେଉଥିବା ଅଭିଯୋଗ ମଧ୍ୟ ହେଉଛି । ଏଭଳି ପରିସ୍ଥିତିରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ କୋଟଗଡ଼ ସିଡିପିଓ ଓ ସୁପରଭାଇଜର ପହଁଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ନିଜ ଜିଦ୍‌ରେ ଅଡ଼ି ବସିଛନ୍ତି । ଯେତେଦିନ ପର୍ଯ୍ୟନ୍ତ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ବହିଷ୍କାର କରି ଅନ୍ୟ ଜଣେ ସୁଯୋଗ୍ୟ କର୍ମୀଙ୍କୁ ନିୟୋଜିତ କରାନଯାଇଛି ସେପର୍ଯ୍ୟନ୍ତ ଏହି କେନ୍ଦ୍ର ବନ୍ଦ ରହିବ ଏବଂ ଅଞ୍ଚଳବାସୀଙ୍କ ସମସ୍ୟା ପାଇଁ ବିଭାଗୀୟ ଅଧିକାରୀ ଦାୟୀ ରହିବେ ବୋଲି କହିଛନ୍ତି ଅଞ୍ଚଳବାସୀ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାସହ ତୁରନ୍ତ ପଦକ୍ଷେପ ଗ୍ରହଣ କରି ସମସ୍ୟାର ସମାଧାନ କରିବା ଜରୁରୀ ହୋଇପଡ଼ିଛି ।

hiranchal ad1
Leave A Reply

Your email address will not be published.

five × two =