ହରଭଙ୍ଗା :ନୃଶଂସ ହତ୍ୟା କାଣ୍ଡ, ହତ୍ୟା ପରେ ମର ଶରୀର ଉପରେ ପଥର ଲଦା ହୋଇଛି ଜୈନିକ ମହିଳାଙ୍କୁ । ଖରଭୂଇଁ କ୍ରସର ନିକଟବର୍ତ୍ତୀ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଠାବ କରାଯାଇଛି । ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଛତ୍ରଙ୍ଗ ପଂଚାୟତର ଖରଭୁଇଁ କ୍ରସର ନିକଟ ଜଙ୍ଗଲରେ ରବିବାର ସକାଳୁ ଜୈନିକ ମହିଳାଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ମୃତ ମହିଳା ଜଣଙ୍କ ସମ୍ପୂର୍ଣ୍ଣ ଉଲଗ୍ନ ସହ ଦେହ ଉପରେ ଏକ ପଥର ଲଦାଯାଇଛି । ଯାହାକି ତାକୁ କେହି ଦୁର୍ବୃତ୍ତ ନୃଶଂସ ଭାବେ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଉକ୍ତ ମହିଳା ଜଣକ ସ୍ଥାନୀୟ ଖରଭୁଇଁ ଗ୍ରାମର ଅପୂର୍ବ ଷାଣ୍ଢ (୪୮) । ଉକ୍ତ ଗ୍ରାମର କିଛି ଲୋକ ସେହି ବାଟ ଦେଇ କୌଣସି କାମରେ ଯାଉଥିବା ବେଳେ ଗ୍ରାମରୁ ପ୍ରାୟ ଦୁଇ କିଲୋମିଟର ପଥର କ୍ରସର ନିକଟ ବର୍ତ୍ତୀ ଜଙ୍ଗଲରୁ ଆଜି ସକାଳୁ ମୃତ ଦେହକୁ ଦେଖି ହରଭଙ୍ଗା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ହରଭଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ ସହିତ ପାଖରେ ପଡ଼ିଥିବା ଏକ ଟାଙ୍ଗିଆ ମଧ୍ୟ ଜବତ କରିଛି । ଜୈନିକ ମହିଳାଙ୍କ ବଡ଼ ଭାଇ ଝରିଆ ଷାଣ୍ଢ ଓ ସାନ ଭାଇ ପରମାନନ୍ଦ ଷାଣ୍ଢ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କହିବା ଅନୁଯାୟୀ ତାଙ୍କ ଭଉଣୀ ପ୍ରତିଦିନ ଜଙ୍ଗଳକୁ ଯାଇ ମହୁଲ, କାଠ, ଟୋଲ, ଆମ୍ବ ଆଦି ଜଙ୍ଗଳଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିଲେ । ରବିବାର ପାହାନ୍ତରୁ ସେ ଜଙ୍ଗଲକୁ ଯାଇଥିଲା ବୋଲି ସେମାନେ ପ୍ରକାଶ କରିଛନ୍ତି । ତେବେ ତଦନ୍ତ ପରେ ଘଟଣାର ସତ୍ୟା ସତ୍ୟ ଜଣା ପଡିବ ବୋଲି ହରଭଙ୍ଗା ଥାନା ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଘଟଣାର ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ ଦଣ୍ଡ ଦେବା ଆବଶ୍ୟକ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।