ପତ୍ନୀ ସୀତା,ଅନୁଜ ଲକ୍ଷ୍ମଣଙ୍କ ସହ ଶ୍ରୀରାମଙ୍କ ବନବାସ

0 67

ଓଡ଼ଗାଁ : ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ଶ୍ରୀରାମନବମୀ ଯାତ୍ରାର ମଙ୍ଗଳବାର ଥିଲା ଷଷ୍ଠ ସନ୍ଧ୍ୟା । ସନ୍ଧ୍ୟା ବେଶ ଦର୍ଶନରେ ପ୍ରଭୁଙ୍କୁ ସପତ୍ନୀକ ଅନୁଜ ଲକ୍ଷ୍ମଣଙ୍କ ସହିତ ବନଗମନ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା । ଦଶରଥଙ୍କ ଆଜ୍ଞାନୁସାରେ ରାଜାଭିଷେକର ଅବ୍ୟବହିତ ପୂର୍ବରୁ ସତ୍ୟ, ଧର୍ମ ଓ ଶାନ୍ତିର ପ୍ରତିଷ୍ଠା ପାଇଁ ପ୍ରଭୁଙ୍କୁ ପିତୃସତ୍ୟ ପାଳନ ଉଦ୍ଦେଶ୍ୟରେ ୧୪ ବର୍ଷ ବନବାସ ଯିବାକୁ ପଡିଛି । ସମସ୍ତ ରାଜକୀୟ ପରିପାଟି ତ୍ୟାଗ କରି ମୁଣ୍ଡରେ ଜଟାଜୁଟ ଓ ହାତରେ ଧନୁତୀର ଧରି ବନବାସୀ ବେଶରେ ପ୍ରଭୁ ବନବାସ ଗମନ କରୁଥିବା ଦୃଶ୍ୟ ଭକ୍ତଙ୍କ ଚକ୍ଷୁରେ ଆଶ୍ରୁ ପ୍ଲାବିତ କରିଛି । ରାମାୟଣ କଥାବସ୍ତୁ ଅନୁସାରେ ମାନବୀୟ ମୁଲ୍ୟବୋଧର ପ୍ରସାର ଚାଲିଥିବାବେଳେ ଦୁଷ୍ଟ ଚରିତ୍ରମାନଙ୍କ ପ୍ରଭାବରେ ପ୍ରଭାବିତ ସମାଜ ନୀତିନୈତିକତାକୁ ଭ୍ରୁକ୍ଷେପ ନ କରି ନିଜକୁ ନିଜେ ଏକ କାଳଗସ୍ତରକୁ ଟାଣି ନେବା ପରେ ମନେହୁଏ । ବନବାସ କାଳରେ ଅର୍ଥାତ ଯାତ୍ରା ସପ୍ତମ ସନ୍ଧ୍ୟାରେ ପ୍ରଭୁ ରାମଚନ୍ଦ୍ର ମାତା ଜାନକୀଙ୍କୁ ଚିତ୍ରକୂଟ ପର୍ବତରେ କୋଳାଗ୍ରତ କରି ବିଶ୍ରାମ କରୁଥିବା ବେଶରେ ଦର୍ଶନ ଦେବେ । ଆଜିର ବନବାସ ବେଶ ଅବସରରେ ୩ ସ୍ୱର୍ଣ୍ଣକଳସ ଉପରେ ଫରଫର ହୋଇ ଉଡୁଥିବା ପତାକା, ସୁନ୍ଦର ଆଲୋକମାଳା ଓ ସୁସଜ୍ଜିତ ଫୁଲମାଳାମାନେ ଦର୍ଶକ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରଭୁଙ୍କ ସାନ୍ନିଧ୍ୟଲାଭ ପାଇଁ ହାତଠାରି ଡାକୁଥିବା ମନେ ହେଉଥିଲା । ମନ୍ଦିର ପ୍ରାଙ୍ଗଣରେ ନାଟ୍ୟମଣ୍ଡପରେ ପ୍ରତିଦିନ ମାନସିକଧାରୀ ରାମାୟଣ, ପାଲା ଓ ଭଜନ ପରିବେଷଣ କରି ଭକ୍ତଙ୍କୁ ଉତ୍ସାହିତ କରୁଛନ୍ତି । ମନ୍ଦିର ପରିଚ୍ଛା, ପାଳିଆପଣ୍ଡା, ପୂଜକ ପରିଷଦଗଣ, ଦେବୋତ୍ତର ମ୍ୟାନେଜର ତାପସ ପଟ୍ଟନାୟକ ଓ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ତତ୍ତ୍ୱାବଧାନରେ ସମ୍ପୂଣ୍ଣ ର୍ନୀତି ସୁଚାରୁରୂପେ ସମ୍ପାଦନ ହୋଇଥିଲା ।

hiranchal ad1
Leave A Reply

Your email address will not be published.

two × 3 =