ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି: ନୂଆପଡା ଜିଲ୍ଲାପାଳଙ୍କ ଅଫିସ ଘେରିଲା ବିଜେପି

0 104

ନୂଆପଡା: “”ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପାଇଁ ରାଜ୍ୟରେ ଅରାଜକତାସୃଷ୍ଟି ହୋଇଛି । ବରିଷ୍ଠ ମନ୍ତ୍ରୀଙ୍କୁ ପୋଲିସ ସର୍ବସମ୍ମୁଖରେ ଗୁଳି କରିହତ୍ୟା କରୁଛି । ବିଜେଡି ଶାସନରେ ରାଜ୍ୟବାସୀ ଅସୁରକ୍ଷିତ ।ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦିଅନ୍ତୁ ।” ଏଭଳି ଦାବି କରି ଶୁକ୍ରବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ବରିଷ୍ଠ ବିଜେପି ନେତା ଯଦୁମଣି ପାଣିଗ୍ରାହୀ, ପ୍ରସନ୍ନ କୁମାର ପାଢୀ, ହୋମସିଂ ମାଝୀ, ପୃଥୁରାଜ ମହାନ୍ତି ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇ ରାଜ୍ୟ ସରକାର ବିରୋଧରେ ନାରାବାଜି କରିଛନ୍ତି । ସାଂସଦ ବସନ୍ତ ପଣ୍ଡା ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ଯୋଗୁଁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ପୋଲିସ ଦିନ ଦ୍ୱିପ୍ରହରରେ ଖୁଲମଖୁଲା ରାଜ୍ୟର ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରୁଛି । ବିଜୁ ଜନତା ଦଳ ଶାସନରେ ରାଜ୍ୟବାସୀ ସୁରକ୍ଷିତ ନାହାନ୍ତି । ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡରୁ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶଙ୍ଖଳା ସମ୍ପର୍କରେ ଜଣାପଡୁଛି । ମୁଖ୍ୟମନ୍ତ୍ରୀଙ୍କ ଅପରାଗତା ପାଇଁ ରାଜ୍ୟରେ ଅରାଜକତା ସୃଷ୍ଟି ହୋଇଛି, ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ୱରେ ଥାଇ ନୀରବଦ୍ରଷ୍ଟା ସାଜିଛନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କହିଛି ବିଜେପି । ଏନେଇ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି ନେତା କହିଛନ୍ତି, ନୂଆପଡା ଜିଲ୍ଲାରେ ମଧ୍ୟ ଅରାଜକତା ଚାଲିଛି । ଏଠାରେ ଅଫିସର ଶାସନ କରୁଛନ୍ତି । ବିଜେଡି ନେତା ଓ କର୍ମୀଙ୍କୁ ସୁହାଇବା ଭଳି କାମ କରାଯାଉଛି । ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି । ଚଞ୍ଚକତା କରି ଯୋଗ୍ୟ ହିତାଧିକାରୀକୁ ଆବାସ ଗୃହରୁ ବଞ୍ଚିତକରାଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯାଉଛି । ବିଜେଡି କର୍ମୀମାନଙ୍କ ନାଁରେ ଆବାସ ଗୃହ ଆସୁଛି । କିନ୍ତୁ ପକ୍କା ବାସଗୃହ ନଥିବା ଯୋଗ୍ୟ ହିତାଧ୍ୟାକାରୀ ବେସାହାରା ରହିଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରାଗଲେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।ନୂଆପଡା ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ।ଜାତୀୟ ରାଜପଥ କଡରେ ଦେଶୀ ମଦ ଭାଟି, ବିଦେଶୀ ମଦଦୋକାନ ଛତୁ ଫୁଟିଲା ପରି ଦେଖାଯାଉଛି । ଫଳରେ ନିଶା ସେବନ କରି ଯୁବକମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଅକାଳରେ ଜୀବନ ହାରୁଛନ୍ତି । ଏଥିପ୍ରତି ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ଦେଉନାହାନ୍ତି । ରାଜ୍ୟସରକାର ସବୁ କ୍ଷେତ୍ରରେ ଫେଲ ମାରିଛନ୍ତି । ଏଥିପାଇଁ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଏହି ପରିପ୍ରେକ୍ଷୀରେ ନୂଆପଡା ବିଜେପି ବିରାଟ ରାଲିରେ ଏକତା ଛକ ଦେଇ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ କରିଥିଲା । ଏହାସହିତ ସେଠାରେ ଦୀର୍ଘ ସମୟ ଧରି ଗଣବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ବିକ୍ଷୋଭ ପ୍ରଦର୍ଶନ ସମୟରେ ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ସ୍ଥିତି ଶାନ୍ତପଡିଥିଲା । ଆନ୍ଦୋଳନକାରୀ ଧାରଣାରେ ବସି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିବା ସହ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ । ସରକାର ଯଦି ସନ୍ତୋଷଜନକ ପଦକ୍ଷେପ ନନିଅନ୍ତି ତେବେ ରାଜ୍ୟବ୍ୟାପୀ ବିଜେପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

hiranchal ad1
Leave A Reply

Your email address will not be published.

eighteen − 15 =