ଦୁର୍ଘଟଣାରେ ୨ ମୃତ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

0 65

କୋକସରା : ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଆମପାଣି ଥାନା ମହାଜନଗୁଡା ନିକଟରେ ରବିବାର ଘଟିଥିବା ପିକଅପ୍‌ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ କୁସୁମଖୁଣ୍ଟି ଗ୍ରାମର ଦୁର୍ଯ୍ୟୋଧନ ମାଝୀ (ବିକି) ଓ ଦେବାଶିଷ ବାଗ (ଚିଣ୍ଟୁ) । ଏହି ଘଟଣାରେ ସୋମବାର ଉଭୟ ପରିବାର ଲୋକେ କ୍ଷତିପୂରଣ ଦାବି କରି ମୋଟେର ଠାରେ ଶବ ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି ।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଆମପାଣି ପଟେ ଦୁର୍ଯ୍ୟୋଧନ ଓ ଦେବାଶିଷ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍‌ ଭ୍ୟାନ୍‌ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟେ ରାସ୍ତାରେ ଛିଟିକି ପଡ଼ିଥିଲେ । ତେବେ ଘଟଣାସ୍ଥଳରେ ହିଁ ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ହୋଇଥିଲା । ଦେବାଶିଷକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କୋକସରା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ଦେବାଶିଷ ମଧ୍ୟ ରାତିରେ ମୃତ୍ୟୁ ହୋଇଥିଲେ । ତେବେ ଦୁର୍ଘଟଣା ଘଟାଇଥିବା ପିକ୍‌ ଅପ୍‌ ଭ୍ୟାନ୍‌କୁ ଜବତ କରିବା ସହିତ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି । ସୋମବାର ସେମାନଙ୍କ ଶବ ବ୍ୟବଚ୍ଛେଦ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର ହେବା ପରେ ଉଭୟଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରି ମୋଟେର ଠାରେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଘଟଣାସ୍ଥଳରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାର, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ଓ କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା ପହଞ୍ଚି ବୁଝାସୁଝା କରିଥିଲେ । ତେବେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ଫଳରେ ଭାବାନୀପାଟଣା-ନବରଙ୍ଗପୁର ଓ ମୁଖୀଗୁଡା ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଉଭୟ ପରିବାରକୁ ଗାଡ଼ି ମାଲିକ ପକ୍ଷରୁ ୩୦ ହଜାର ଓ ରେଡକ୍ରସ୍‌ରୁ ୧୦ ହଜାର ଲେଖାଏଁ ପ୍ରଦାନ କରାଯାଇଥିବା ବେଳେ ସହାନୁଭୂତି ଭାବେ ବ୍ଳକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ମଧ୍ୟ ୧୦ ହଜାର ଲେଖାଏଁ ଉଭୟ ପରିବାର ଲୋକଙ୍କୁ ପ୍ରଦାନ କରିଥିଲେ । ଏହା ପରେ ପରିବାର ଲୋକେ ରାସ୍ତା ଅବରୋଧରୁ ଓହରିଥିଲେ ।

hiranchal ad1
Leave A Reply

Your email address will not be published.

ten + 10 =