ବାଲିଗୁଡ଼ା: କନ୍ଧମାଳକୁ ବ୍ୟାପିଲା ରାଗିଂ । ସରକାରୀ ଆଶ୍ରମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀ ଛାତ୍ର ମାଡ଼ ମାରୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ଆଜି ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି । ଏଭଳି ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗ୍ରୀନବାଡ଼ିରେ ଥିବା ସରକାରୀ ଆଶ୍ରମ ବିଦ୍ୟାଳୟରେ ଘଟିଥିବା ଜଣାପଡ଼ିଛି । ବିଦ୍ୟାଳୟ ହଷ୍ଟେଲରେ ଚାରିଜଣ ଛାତ୍ର ଜୁନିୟର ଛାତ୍ରଙ୍କୁ ମାଡ଼ ମାରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ଘଟଣା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଚାରିଜଣ ଛାତ୍ରଙ୍କୁ ବିଦ୍ୟାଳୟରୁ ବାହାର କରିଦିଆଯାଇଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ । ଘଟଣାର ସଠିକ୍ ତଦନ୍ତ ଏବଂ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଅଭିଭାବକ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହେଉଛି । ସେପଟେ ଘଟଣାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ମଧ୍ୟରେ ବିଦ୍ୟାଳୟ ପରିସରରେ ଆଲୋଚନା ଚାଲିଥିବା ଜଣାପଡ଼ିଛି ।