ବିଜୁ ଏକ୍ସପ୍ରେସ ହାଇୱେରେ ବସ-ଟ୍ରକ ଦୁର୍ଘଟଣା: ଜଣେ ମୃତ ଓ ୨୦ରୁ ଅଧିକ ଆହତ

0 133

ସମ୍ବଲପୁର: ସ୍ଥାନୀୟ ରେଙ୍ଗାଲି ବ୍ଲକ୍‌ ଅନ୍ତର୍ଗତ ଖିଣ୍ଡା ଛକଠାରେ ଆଜି ଏକ ଯାତ୍ରୀବାହୀ ବସ ଦୁର୍ଘଟଣାରେ ଜଣେ ମୃତ ଓ ୨୦ ରୁ ଅଧିକ ଆହତ ହୋଇଛନ୍ତି ଓ ତନ୍ମଧ୍ୟରୁ ୭ ଜଣ ଗୁରୁତର ଆହତଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ପଠାଯାଇଛି । ପ୍ରତିଦିନ ପରି ଆଜି ମହାଲକ୍ଷ୍ମୀ ବସ ସକାଳ ୬ ଟାରେ ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଯାଉଥିଲା । ବସ ସଂଖ୍ୟା ଓଆର ୧୫ଏଫ୍‌ ୨୨୫୭ଟି ଖିଣ୍ଡା ଛକ୍‌ ନିକଟସ୍ଥ ପୃଥିରାଜ ହୋଟେଲ ସାମନାରେ ଅନ୍ୟ ଏକ ଟ୍ରକ, ଓଆର ୨୩ଏଫ ୧୮୧୧, ୬.୪୦ ସମୟରେ ପଛପଟୁ ଧକ୍କା ଦେବା ଫଲରେ ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଜଣେ ବ୍ୟକ୍ତିର ଗୋଡ଼ଟି ଛିଣ୍ଡି ବସ ଭିତରେ ରହି ଯାଇଥିଲା ଓ ଉଦ୍ଧାରକର୍ମୀ ପରେ ବାହାର କରିଥିଲେ । ଘଟଣା ବିଷୟରେ ଖବର ପାଇ ନିକଟସ୍ଥ କାରଖାନାର ସୁରକ୍ଷା କର୍ମୀ, ସ୍ଥାନୀୟ ଲୋକେ ଓ ଠେଲକୁଲି ପୋଲିସ ପହଂଚି ଜଣେ ଜୀବିତ ବ୍ୟକ୍ତିଙ୍କୁ ଗାଡ଼ିର କିଛି ଅଂଶ ଗ୍ୟାସ୍‌ କଟର ସାହାଯ୍ୟରେ କାଟି ଉଦ୍ଧାର କରି ଗୁରୁତର ଅବସ୍ଥାରେ ବୁର୍ଲା ପଠାଇଥିଲେ । ଆହତ ହୋଇଥିବା କିଛି ବ୍ୟକ୍ତିଙ୍କ ସ୍ଥିତି ଗମ୍ଭୀର ରହିଥିବା ବିଷୟରେ ମଧ୍ୟ ଖବର ମିଳିଛି କିନ୍ତୁ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟାବୃଦ୍ଧି ବିଷୟରେ ଅଧିକୃତ ସୂଚନା ମିଳିନାହିଁ । ସକାଳୁ କୁହୁଡି ପାଇଁ ଯୋଗୁଁ ଏହି ଦୁର୍ଘଟଣା ହୋଇଛି ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ । ଏଠାରେ ଉଲ୍ଲେଖନୀୟ ଯେ କିମ୍ବା ଛକଠାରେ ଏକ ବଡ଼ କାରଖାନାର ମୁଖ୍ୟ ପ୍ରବେଶ ଦ୍ୱାର ନିର୍ମାଣ ହେବା ପରଠାରୁ ସେଠାରେ ଦୁର୍ଘଟଣା ପ୍ରବଣତା ଯଥେଷ୍ଟ ବୃଦ୍ଧି ପାଇଛି । ଇତିମଧ୍ୟରେ ସମ୍ବଲପୁର, ଝାରସୁଗୁଡ଼ା ଓ ରାଉରକେଲା ପର୍ଯ୍ୟନ୍ତ ଏହି ରାଜ୍ୟ ହାଇୱେକୁ ବିଜୁ ଏକ୍ସପ୍ରେସ ହାଇୱେ ରୂପେ ବିକଶିତ କରିବା ପରଠାରୁ ଆଶା କରାଯାଉଥିଲା ଯେ ସେଠାରେ ଦୁର୍ଘଟଣା ହ୍ରାସ ପାଇବ, କିନ୍ତୁ ଓଲଟା ବର୍ତ୍ତମାନ ଟ୍ରାଫିକ ବଢିଯିବାରୁ ଏହି ରାଜମାର୍ଗ ଓ ବିଶେଷକରି ଖିଣ୍ଡାଛକ ଠାରେ କାଳକ୍ରମେ ଦୁର୍ଘଟଣା ବଢି ବଢି ଯାଉଛି ।

hiranchal ad1
Leave A Reply

Your email address will not be published.

2 × 1 =