ମହିଳାଙ୍କୁ ଅଶ୍ଲୀଳ ଫଟୋ ଦେଖାଇ ବ୍ଲାକମେଲ୍‌ କରିବା ପଡିଲା ମହଙ୍ଗା

0 110

ଗଞ୍ଜାମ/ବ୍ରହ୍ମପୁର: ଜଣେ ବିବାହିତା ମହିଳାଙ୍କୁ ଜଣେ ରଙ୍ଗିଲା ଯୁବକ ପ୍ରଥମେ ବନ୍ଧୁତା ପାଇଁ ନିବେଦନ କରି ଫୋନ ନମ୍ବର ନେଲା । ଆଉ ଫୋନ ନମ୍ବର ନେବାର କିଛି ଦିନ ପରେ ରୋମାଣ୍ଟିକ୍‌ ମେସେଜ ସହ ଭିଡ଼ିଓ କଲ୍‌ କଲା । ଏହି ସମୟରେ ରଙ୍ଗିଲା ଯୁବକ ଜଣକ ଉକ୍ତ ମହିଳା ଜଣଙ୍କ ଫଟୋକୁ ସ୍କ୍ରିନ୍‌ ସୋଟ୍‌ ନେଇ ସେହି ଫଟୋଗୁଡିକୁ ଏଡିଟ୍‌ କରି ଅଶ୍ଲୀଳ ଫଟୋ ପ୍ରସ୍ତୁତ କରିଥିଲେ । ପରେ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ । ଏଥିରେ ମହିଳା ଜଣକ ରାଜି ନ ହେବାରୁ ଏଡିଟ୍‌ କରିଥିବା ଫୋଟଗୁଡ଼ିକୁ ଟଙ୍କା ନ ଦେଲେ ଭାଇରାଲ କରିଦେବି ବୋଲି ମହିଳା ଜଣକୁ ବ୍ଲାକମେଲ୍‌ କରୁଥିବା ନେଇ ଜଣେ ଯୁବକଙ୍କ ନାଁ ରେ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ପରେ ଆଜି ଅଭିଯୁକ୍ତ ରଙ୍ଗିଲା ଯୁବକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ରଙ୍ଗିଲା ଯୁବକ ଜଣକ ହେଲେ ବଡବଜାର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ ଅଞ୍ଚଳରେ ରହୁଥିବା ଭୀଷ୍ମକୁମାର ଦାଶ(୨୩) । ସୂଚନାପ୍ରକାରେ, ଅଭିଯୋଗକାରୀ ମହିଳାଙ୍କ ଘର ନିକଟରେ ଅଭିଯୁକ୍ତ ଭୀଷ୍ମ ୪ ବର୍ଷ ହେଲା ଭଡାରେ ରହୁଛନ୍ତି । ପାଖପଡୋଶୀ ହୋଇଥିବାରୁ ଏହି ୩୨ ବର୍ଷୀୟ ବିବାହିତା ମହିଳାଙ୍କ ସହ ଅଭିଯୁକ୍ତ ଭୀଷ୍ମଙ୍କ ପରିଚୟ ହୋଇଥିଲା । ଏହାପରେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ମୋବାଇଲ ନମ୍ବର ନେଇଥିଲେ । ଉଭୟ ମୋବାଇଲରେ କଥାବାର୍ତ୍ତା ହେବା ପରେ ଭିଡିଓ କଲରେ ମଧ୍ୟ କଥାବାର୍ତ୍ତା ହୋଇଥିଲେ । ଆଉ ମହିଳାଙ୍କ ଅଜାଣତରେ ଭୀଷ୍ମ ତାଙ୍କର ଫଟୋ ସ୍କ୍ରିନ୍‌ ସୋଟ୍‌ କରି ରଖି ଦେଇଥିଲେ । ପରବର୍ତ୍ତୀ ସମୟରେ ସେହି ଫଟୋଗୁଡିକୁ ଏଡିଟ୍‌ କରି ଅଶ୍ଲୀଳ ଫଟୋ ପ୍ରସ୍ତୁତ କରିଥିଲେ । ଆଉ ତାଙ୍କ କଥା ନମାନିଲେ ସମସ୍ତ ଫଟୋ ଭାଇରାଲ କରିଦେବି ବୋଲି ଭୀଷ୍ମ ଅଭିଯୋଗକରୀ ମହିଳାଙ୍କୁ ଧମକ ଦେଇଥିଲେ । ଏପରିକି ତାଙ୍କୁ ଟଙ୍କା ମାଗିବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ମହିଳା ଜଣଙ୍କ ଭୀଷ୍ମଙ୍କ କଥାକୁ ଗୁରୁତ୍ୱ ନଦେବାରୁ ଏଡିଟ ହୋଇଥିବା ସେ ଅଶ୍ଲୀଳ ଫଟୋକୁ ମହିଳାଙ୍କ ନିକଟକୁ ପଠାଇ କିଛି ସମୟ ପରେ ଡିଲିଟ କରି ଦେଇଥିଲେ । ଏହା ଦେଖି ମହିଳା ଜଣଙ୍କ ଡରିଯିବା ସହ ଭୀଷ୍ମଙ୍କୁ ୫ ହଜାର ଟଙ୍କା ଦେଇଥିଲେ । ହେଲେ ଅଧିକ ଟଙ୍କା ନଦେଲେ କିମ୍ବା ଶାରୀରିକ ସମ୍ପର୍କ ନରଖିଲେ ଫଟୋଗୁଡିକୁ ସୋସିଆଲ ମିଡିଆରେ ଭାଇରଲ କରିଦେବେ ବୋଲି ଭୀଷ୍ମ ପୁଣି ଧମକ ଦେଇଥିଲେ । ଏପରିକି ମହିଳାଙ୍କ ଭାଇଙ୍କ ନିକଟକୁ ମଧ୍ୟ କିଛି ଫଟୋ ପଠାଇଥିଲେ । କେବଳ ସେତିକି ନୁହଁ ମହିଳାଙ୍କ ସ୍ୱାମୀଙ୍କୁ ଫୋନ କରି ଗାଳିଗୁଲଜ କରିଥିଲେ । ଭୀଷ୍ମଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ମହିଳା ଜଣଙ୍କ ଶେଷରେ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ବ୍ରହ୍ମପୁର ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ନଂ ୫୨/୨୨ ରେ ଏକ ମାମଲା ରୁଜୁ ହୋଇଥିଲା । ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଭୀଷ୍ମଙ୍କୁ ଗିରଫ କରିବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

sixteen + 10 =