ଆଦିବାସୀ ଛାତ୍ରାବାସ କାର୍ଯ୍ୟକ୍ଷମ ନିମନ୍ତେ ଦାବିପତ୍ର ପ୍ରଦାନ

0 112

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ଠାରେ ଥିବା ମୀନକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରାବାସ କାର୍ଯ୍ୟକ୍ଷମ ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇ ଥିବାର ଦେଖିବାକୁ ମିଳିଛି । ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆଦିବାସୀ ଛାତ୍ରମାନେ ଏକତ୍ରିତ ହୋଇ ବିଭିନ୍ନ ସ୍ଲୋଗାନମାନ ଦେଇ ଗୋଷାଣୀ ବ୍ଲକ ଅଫିସ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଗୋଷାଣି ବ୍ଲକ ଗସ୍ତରେ ଥିବା ଜିଲ୍ଲାପରିଷଦ ସଭାପତି ଜି.ତିରୁପତି ରାଓ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧବ ମାଝୀଙ୍କୁ ଭେଟି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଏହି +୨କଲେଜ ନିମନ୍ତେ ୧୦୦ଶଯ୍ୟା ବିଶିଷ୍ଠ ଆଦିବାସୀ ଛାତ୍ରାବାସ ପ୍ରାୟ ୬ବର୍ଷ ପୂର୍ବେ ନିର୍ମାଣ ହୋଇଥିଲେ ସୁଦ୍ଧା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଯଦ୍ୱାରା ଆଦିବାସୀ ଛାତ୍ରମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି +୨କଲେଜରେ ଜିଲ୍ଲାର ସମସ୍ତ ବ୍ଲକର ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି । ଦୈନନ୍ଦିନ କଲେଜକୁ ଅଧ୍ୟୟନ ନିମନ୍ତେ ଯାତାୟତ କରିବାକୁ ପଡୁଥିବା ବେଳେ ବହୁ ଦୂରାନ୍ତରେ ରହୁଥିବା ଛାତ୍ରମାନେ ବାଧ୍ୟ ହୋଇ ଘରଭଡା ନେଇ ରହି କଲେଜକୁ ଯାତାୟତ କରୁଛନ୍ତି । ଯାହାକି ସମୟ ଅପଚୟ ହେବା ସହ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ଏହି କଲେଜରେ ଅଧ୍ୟୟନ କରୁଥିବା ଅଧିକାଂଶ ଆଦିବାସୀ ଛାତ୍ରମାନେ ଗରୀବ ଶ୍ରେଣୀର ହୋଇଥିବା ଯୋଗୁଁ ଦୈନନ୍ଦିନ ଯାତାୟତ ଖର୍ଚ୍ଚ କିମ୍ବା ଭଡାଘରେ ରହିବା ସମ୍ଭବପର ହେଉନାହିଁ ବୋଲି ପ୍ରକାଶ କରିଛନ୍ତି । ୬ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ସମ୍ପୂର୍ଣ୍ଣ ଭାବେ ଛାତ୍ରାବାସ କୋଠା ନିର୍ମାଣ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ପାରିନି । ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଛାତ୍ରାବାସ ନିର୍ମାଣ କରିଥିଲେ ମଧ୍ୟ କୌଣସି ଉପଯୋଗରେ ଆସୁ ନାହିଁ ବୋଲି ଛାତ୍ରଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ତୁରନ୍ତ ଛାତ୍ରାବାସକୁ କାର୍ଯ୍ୟକ୍ଷମ କରାଯାଇ ଗରୀବ ଆଦିବାସୀ ଛାତ୍ରଙ୍କୁ ଏଠାରେ ରହିବାପାଇଁ ସୁବିଧା କରାଯାଉ ବୋଲି ଦାବି ଜଣାଇଛନ୍ତି । ଦାବିପତ୍ର ପ୍ରଦାନ ବେଳେ +୨ଛାତ୍ର ଗଜେନ୍ଦ୍ର ଭୂୟାଁ, ଜଗଦୀଶ ଗମାଙ୍ଗ, ସୁବାଶ ଶବର, ଦିକଲାଶ ଗମାଙ୍ଗ, ଦେବରାଜ ଗମାଙ୍ଗ ପ୍ରମୁଖଙ୍କ ସମେତ ପ୍ରାୟ ୪୦ଜଣ ଛାତ୍ର ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

one × 2 =