ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

0 51

କଟକ : ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାନୁ ବାଗଙ୍କୁ ଗତକାଲି କଟକରୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମଙ୍ଗଳବାର ବାଣ ବିସ୍ଫୋରଣ ବେଳେ ସେ ବି ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ବିସ୍ଫୋରଣ ଯୋଗୁଁ ତାଙ୍କ ଶରୀରର ୮୦ପ୍ରତିଶତ ପୋଡି ଯାଇଥିଲା । ପଶ୍ଚିମବଙ୍ଗରେ କୌଣସି ଡାକ୍ତରଖାନାରେ ଭର୍ତ୍ତି ହେଲେ ପୁଲିସ ହାତରେ ଧରାପଡିଯିବା ଭୟରେ ସେ ଓ ତାଙ୍କ ପୁଅ ଏବଂ ଅନ୍ୟ ଜଣେ ସମ୍ପର୍କୀୟଙ୍କ ସହିତ କଟକ ପଳାଇ ଆସିଥିଲେ । ଭାନୁ ବାଗ ଓଡିଶା ପଳାଇ ଆସିଥିବା ନେଇ ପଶ୍ଚିମବଙ୍ଗ ପୁଲିସ ସନ୍ଦେହ କରିଥିଲା । ଏନେଇ କଟକ କମିଶନରେଟ ପୁଲିସକୁ ଜଣାଇଥିଲା । କଟକ ପୁଲିସ ପକ୍ଷରୁ ଏନେଇ ଖୋଳତାଡ କରାଯାଇଥିଲା । କଟକ ପୁଲିସ ସହାୟତାରେ ପଶ୍ଚିମବଙ୍ଗ ପୁଲିସ ଗତକାଲି ଭାନୁ ବାଗଙ୍କୁ କଟକର ଏକ ଘରୋଇ ହସ୍ପିଟାଲରୁ ଗିରଫ କରିଥିଲା । ମାତ୍ର ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବାରୁ ପଶ୍ଚିମବଙ୍ଗ ପୁଲିସ ତାଙ୍କୁ ସାଙ୍ଗରେ ନେଇ ପାରି ନଥିଲା । ତେବେ ସେହି ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । ଭାନୁ ବାଗଙ୍କ ମୃତ୍ୟୁ ସହିତ ଏହି ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି । ଗତ ମଙ୍ଗଳବାର ପଶ୍ଚିମବଙ୍ଗର ପୂର୍ବ ମେଦିନପୁର ଜିଲ୍ଲାର ଏଗ୍ରା ଗାଁରେ ଏହି ଅଘଟଣ ଘଟିଥିଲା । ଏହି ବାଣ କାରଖାନା ଟି ଏକ ଆବାସିକ ଘରେ ବେଆଇନ ଭାବେ ଚାଲୁଥିଲା । ଭାନୁ ବାଗ ଓ ତାଙ୍କ ପୁଅ ଏହାକୁ ଚଲାଉଥିଲେ । ବେଆଇନ ଭାବେ ବାଣ କାରଖାନା ଚଲାଇବା ଅଭିଯୋଗରେ ଭାନୁ ବାଗ ପୂର୍ବରୁ ଗିରଫ ହୋଇ ଜେଲ ଯାଇଥିଲେ । ତେବେ ଜାମିନରେ ଆସିବା ପରେ ମଧ୍ୟ ପୁଣି ଏହି କାମରେ ଲାଗିଥିଲେ । ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗର ରାଜନୀତି ମଧ୍ୟ ସରଗରମ ହୋଇ ଉଠିଥିଲା । ଅଭିଯୁକ୍ତ ଭାନୁ ବାଗ ତୃଣମୂଳ କଂଗ୍ରେସ (ଟିଏମସି)ର ଜଣେ କାର୍ଯ୍ୟକର୍ତ୍ତା । ସେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ତାଙ୍କ ଦଳ ପାଇଁ ବୋମା ତିଆରି କରୁଥିଲେ ବୋଲି ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହା ସହିତ ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଦ୍ୱାରା କରାଇବାକୁ ଦଳ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଥିଲା । ଅନ୍ୟପକ୍ଷରେ ବିଜେପିର ଅଭିଯୋଗକୁ ଟିଏମସି ଖଣ୍ଡନ କରିଥିଲା । ଘଟଣାର ତଦନ୍ତ ସିଆଇଡିକୁ ଦିଆଯାଇଛି ବୋଲି କହିଥିଲା । ଆଜି ଭାନୁ ବାଗଙ୍କ ମୃତ୍ୟୁ ହେବା ପରେ ଏବେ ତଦନ୍ତ କେଉଁ ମୋଡ ନେଉଛି ତାହା ସମୟକୁ ଅପେକ୍ଷା ।

hiranchal ad1
Leave A Reply

Your email address will not be published.

five × 3 =