ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ବେଆଇନ ମଦ କାରବାର, ଅବକାରୀ ବିଭାଗ ସାଜିଛି ନିଦାବିଷ୍ଣୁ

0 83

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ବେଆଇନ ମଦ କାରବାର ଦିଆକୁ ଦିନ ବଢିବାରେ ଲାଗିଥିବା ଅଭିଯୋଗ ହେଉଛି । ଅବକାରୀ ବିଭାଗ ଜାଣି ଶୁଣି ନୀରବ ରହୁଥିବା ଜଣାପଡ଼ିଛି । ଅଭିଯୋଗ ମତେ କେଉଁଠି ରନ୍ଧା ମଦ ପିଇ ଲୋକଙ୍କ ଜୀବନ ହାନି ହେଉଛି ତ କେଉଁଠି ଖୁଦ ଲାଇସେନ୍ସ ପ୍ରାପ୍ତ ଭାଟିର କର୍ମଚାରୀ, ବିଦେଶୀ ମଦ ଦୋକାନ କର୍ମଚାରୀ ଓ ବେଆଇନ ମଦ ବ୍ୟବସାୟୀମାନେ ଖୁଲମ ଖୋଲା ବାଇକ ମାଧ୍ୟମରେ ଗାଁଗାଁକୁ ବେଆଇନ ମଦ ବିକ୍ରୟ ପାଇଁ କୁଚିଆମାନଙ୍କୁ ମଦ ଯୋଗାଇ ଦେଉଥିବା ଅଭିଯୋଗ ହେଉଛି । ବେଆଇନ ଅପମିଶ୍ରଣ ମଦ ଲୋକେ ପିଇ ରୋଗାକ୍ରାନ୍ତ ହେବ ସହ ପ୍ରାଣହାନୀ ହେଉଥିବା ଦେଖାଯାଉଛି । କିଛି ଦିନ ପୂର୍ବରୁ ଖପ୍ରାଖୋଲ ବିଦେଶୀ ଠିପି ଖୋଲା ମଦ ଦୋକାନରେ ବେଆଇନ ଅପମିଶ୍ରଣ ମଦ ଜବତ ଘଟଣା ଅଞ୍ଚଳରେ ଚହଳ ସୃଷ୍ଟି କରିଥିଲା । ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି କିଛି ବିଦେଶୀ ମଦ ଦୋକାନ କର୍ମଚାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି । ଏବେ ଲାଠୋର ଓ ଖପ୍ରାଖୋଲ ବିଦେଶୀ ଠିପି ଖୋଲା ମଦ ଦୋକାନର କର୍ମଚାରୀ ମାନେ ଗ୍ରାମାଞ୍ଚଳର ମଦ ପିଉଥିବା ଗ୍ରାହକଙ୍କୁ ଛାପା ରେଟ୍‌ରୁ ଅଧିକ ଦରରେ ମଦ ବିକ୍ରୟ କରୁଥିବା ଅଭିଯୋଗ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ଲକର ମହୁରୁଣ୍ଡି ଗାଁ ଛକରେ ଅନେକ ମଦ ପାଉଚ ଜରି ପଡ଼ିଥିବା ମଧ୍ୟ ଦେଖା ଦେଇଛି ଓ ଅନ୍ୟାନ୍ୟ ଗ୍ରାମମାନଙ୍କରେ ଦିନକୁ ଦିନ ବେଆଇନ ମଦ କାରବାର ବଢିବାରେ ଲାଗିଛି । ପାଟଣାଗଡ ଅବକାରୀ ବିଭାଗ ନାମକୁ ମାତ୍ର କିଛି ଅପହଞ୍ଚ ଇଲାକା ଯଥା ଖୁରିପାନି, ବାଘଝରନ, ଦମେଇପାଳି ଓ ଅନ୍ୟାନ୍ୟ କିଛି ଗ୍ରାମକୁ ଯାଇ ବେଆଇନ ଭାବେ ରନ୍ଧା ଯାଉଥିବା ମଦ ଓ ମହୁଲ ପୋଚ ସହ ମଦ ରନ୍ଧା ସାମଗ୍ରୀ ଜବତ କରିବା ସହ କିଛି ମଦ ମାଫିଆଙ୍କୁ ଗିରଫ କରି ନିଜ କାମ ସାରି ଦେଉଥିବା ଅଭିଯୋଗ ହେଉଛି । ଗାଁ ଗାଁ ମାନଙ୍କୁ ବେଆଇନ୍‌ କୁଚିଆ ମଦ କାରବାରକୁ ଅବକାରୀ ବିଭଗ ଜାଣିଶୁଣି ହାତ ଗୁଞ୍ଜା ନେଇ ନିଦାବିଷ୍ଣୁ ସାଜିଥିବା ଜନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ବେଆଇନ ମଦ କାରବାର ବଢୁଥିବା ଯୋଗୁଁ ବ୍ଲକ ଅଞ୍ଚଳରେ ଚୋରି, ରାହାଜାନୀ, ମାଡ଼, ଗାଳି ଗୁଲଜ, ବିବାହ ବିଚ୍ଛେଦ ଓ ଜୀବନହାନି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଅବକାରୀ ବିଭାଗର ନୀରବତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସରକାର ବେଆଇନ ନିଶା କାରବାରକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଭାବେ ଅବକାରୀ ବିଭାଗ ଖୋଲି ରାଜକୋଷରୁ ଦରମା ଦେଉଥିବା ବେଳେ ଖପ୍ରଖୋଲ ଅଞ୍ଚଳରେ ଅବକାରୀ ବିଭାଗର କାମ ପୋଲିସ କରୁଛି । ଏନେଇ ପାଟଣାଗଡ ଉପଖଣ୍ଡ ଅବକାରୀ ଅଧିକାରୀ ଏସଆଇ ସତ୍ୟନାରାୟଣ ଦାସଙ୍କ ମତାମତ ଲୋଡିବା ପାଇଁ କାର୍ଯ୍ୟାଳୟକୁ ଯିବାରୁ କୌଣସି କାମରେ ସେ ବାହାରକୁ ଯାଇଥିବା ଜଣାପଡିଥିଲା । ତାଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯିବାରୁ ଫୋନ କଲ ଗ୍ରହଣ କରିନଥିଲେ । ଏନେଇ ଉପରିସ୍ଥ ଅଧିକାରୀ ଧ୍ୟାନ ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

5 + 16 =