୪୮ଲକ୍ଷ ହିତାଧିକାରୀଙ୍କୁ ମିଳିବ ଶୀତ ସହାୟତା
ମୋଟ ୧୪୬ କୋଟି ଟଙ୍କା ମଞ୍ଜୁର

0 90

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଅନୁଯାୟୀ,ରାଜ୍ୟର ଗରିବ ଲୋକମାନଙ୍କୁ ମିଳିବ ଶୀତ ସହାୟତା । ଆସନ୍ତା ମଙ୍ଗଳବାର ଅର୍ଥାତ ଡିସେମ୍ବର ପହିଲା ପୂର୍ବରୁ ରାଜ୍ୟର ସମସ୍ତ ୪୮ଲକ୍ଷ ହିତାଧିକାରୀଙ୍କୁ କମ୍ବଳ ବାବଦରେ ୩୦୦ଟଙ୍କା ଲେଖାଏଁ ସହାୟତା ମିଳିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେବା ସହ ରାଜ୍ୟ ସରକାର ମୋଟ ୧୪୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଖୋଲା ଆକାଶ ତଳେ ଯେପରି କେହି ନରହିବେ, ସେଥିପାଇଁ ଧ୍ୟାନ ଦେବାକୁ ମଧ୍ୟ ଅଫିସରମାନଙ୍କୁ ସେ କଡା ତାଗିଦ୍‌ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଓ ଗରିବ ଲୋକଙ୍କୁ ଶୀତ ସହାୟତା ଯୋଗାଇବା ସଂକ୍ରାନ୍ତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ମଧୁବାବୁ ପେନସନ ଓ ଜାତୀୟ ପେନସନ ଯୋଜନାର ୪୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏହି ଶୀତ ସହାୟତା ରାଜ୍ୟ ସରକାର ଯୋଗାଇଦେବେ । ଶୀତର ପ୍ରକୋପକୁ ଦୃଷ୍ଟିରେ ରଖି ଗରିବ ଲୋକ ବିଶେଷ କରି ବରିଷ୍ଠ ନାଗରିକଙ୍କ ସୁରକ୍ଷିତ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନଭେମ୍ବର ୩୦ ଓ ଡିସେମ୍ବର ୧ ତାରିଖ ଏହି ଦୁଇଦିନ ମଧ୍ୟରେ ରାଜ୍ୟର ସବୁ ହିତାଧିକାରୀଙ୍କୁ ଶୀତ ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ । ଏବେସୁଦ୍ଧା ରାଜ୍ୟରେ ୮୫୫ଟି ଯାତ୍ରୀ ଆଶ୍ରୟସ୍ଥଳୀ ଖୋଲାଯାଇଥିବାବେଳେ ଆବଶ୍ୟକସ୍ଥଳେ ପଂଚାୟତ ଅଫିସ ଓ ସ୍କୁଲ ଘରଗୁଡିକୁ ମଧ୍ୟ ରାତ୍ରି ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ସମୀକ୍ଷା ବୈଠକରେ ମୁଖ୍ୟସଚିବ, ଉନ୍ନୟନ କମିଶନର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ରାଜ୍ୟ ସରକାର ପ୍ରତି ଦୁଇବର୍ଷରେ ମାସିକ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ଗ୍ରୀଷ୍ମ ଓ ଶୀତକାଳୀନ ସହାୟତା ଯୋଗାଇ ଦେଇଥାନ୍ତି । ଚଳିତ ଶୀତ ଋତୁରେ ମାସିକ ଭତ୍ତାଧାରୀଙ୍କୁ ଏହି ଶୀତ ସହାୟତା ପ୍ରଦାନ କରାଯିବ ବୋଲି ଗତ ସପ୍ତାହରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ।

hiranchal ad1
Leave A Reply

Your email address will not be published.

5 × 1 =