ପୁରୀ : ପୁଣି ଅଶାନ୍ତ ପିପିଲି । ବାଇକ ଓ ସାଇକେଲରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ପିପିଲି ଦରଜି ସହିରେ ଘଟିଛି ଅଘଟଣ । କାନୁନ ମହାପାତ୍ରଙ୍କ ବାଇକ ଓ ସାଇକେଲକୁ ପୋଡି ଦେଲେ ଦୁର୍ବୃତ୍ତ । ଗତ କିଛି ଦିନ ଧରି ପିପିଲିରେ ଉତ୍ତେଜନା ଲାଗି ରହିଥିବା ବେଳେ ପିପିଲିର ବିଭିନ୍ନ ସ୍ଥାନରେ ପୋଲିସ କ୍ୟାମ୍ପ କରି ମୁତୟନ ହୋଇ ରହିଛନ୍ତି । ପିପିଲିରେ ଦିନ ରାତି ୨୪ ଘଂଟା ପେଟ୍ରୋଲିଂ କରାଯାଉ ଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ପୁଣିଥରେ ପୋଲିସର ନିଦ ହଜାଇ ଦେଇଛି । ଗତ ୨୪ ତାରିଖରେ ପିପିଲିରେ ଗୁଳିକାଣ୍ଡ ଘଟିବା ଓ ପରେ ବୋମା ମାଡ଼ ପିପିଲିରେ ଅଶାନ୍ତ ବାତାବରଣ ସୃଷ୍ଟି କରିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେପଟେ ମାତ୍ର କିଛି ଦିନ ନୀରବତା ପରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ ଦ୍ୱାରା ବାଇକ ଓ ସାଇକେଲ ପୋଡି ଦେବା ଘଟଣା ନଜରକୁ ଆସିବା ପରେ ପୁଣିଥରେ ପିପିଲିର ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସୂଚନା ଥାଉକି କଲେଜରେ କମେଣ୍ଟ ମରାକୁ କେନ୍ଦ୍ର କରି ପରବର୍ତ୍ତୀ ସମୟରେ ଏଭଳି ଘଟଣା ବାରମ୍ବାର ଘଟି ପୋଲିସର ମୁଣ୍ଡ ବିନ୍ଧା କାରଣ ପାଲଟିଛି ।