ସୀକୃତୀ ଉପରେ ସଚେତନତା କର୍ମଶାଳା

0 115

ଫୁଲବାଣୀ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଭାଗୃହଠାରେ ଫିରିଙ୍ଗିଆ ବ୍ଲକ ପ୍ରଶାସନ ଓ ସ୍ୱାତୀର ମିଳିତ ଆନୁକୁଲ୍ୟରେ ସରକାରଙ୍କ ବିଭିନ୍ନ ଗରୀବ ଦୂରୀକରଣ ଯୋଜନା ଓ ଟ୍ରାନସଜେଣ୍ଡର ସଶକ୍ତିକରଣ କାର୍ଯ୍ୟକ୍ରମ ଏବଂ ସ୍ୱୀକୃତୀ ଉପରେ ସଚେତନତା କର୍ମଶାଳା ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀରଞ୍ଜନ ମହନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ଉପ ଜିଲ୍ଲାପାଳ ଶେଷଦେବ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିବା ସହ କିନ୍ନର ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ୍‌ କରିବାକୁ ହେଲେ ସବୁ ସ୍ତରରେ ବାଛ ବିଚାରକୁ ପଛରେ ପକାଇ ସରକାରଙ୍କ ସମସ୍ତ ସୁବିଧା ହାସଲ କରି ଜୀବନଜୀବିକା ସୃଦୃଢ଼ କରିବାକୁ ହେବ ବୋଲି କହିଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜ୍ଞାନରଞ୍ଜନ ସେଠୀ ଉପସ୍ଥିତ ରହି ବିଭିନ୍ନ ଯୋଜନା ତଥା ସାମାଜିକ ସୁରକ୍ଷାରେ ହିତାଧିକାରୀ କିଭଳି ପେନସନ ପ୍ରୋତ୍ସାହନ ଓ ସୀକୃତି ଯୋଜନା ସହ ଯୋଡି ହେବେ ତାହା ଆଲୋକପାତ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଞ୍ଚାୟତ ସମିତି ମାଧ୍ୟମରେ କାର୍ଯ୍ୟ ଜାରି ହେଉଥିବା ଯୋଜନା ଯଥା ମହାତ୍ମାଗାନ୍ଧୀ ଗ୍ରାମିଣ ନିଶ୍ଚିନ୍ତ କର୍ମ ନିଯୁକ୍ତି, ଜଳ ଯୋଗାଣ, ଓଡ଼ିଶା ଜୀବିକା ମିଶନ ଭଳି ସବୁ କ୍ଷେତ୍ରରେ କିନ୍ନର ମାନଙ୍କୁ ସାମିଲ କରିବା ପାଇଁ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ । ବ୍ଲକ ଜଳ ଯୋଗାଣ ଅଧିକାରୀ ଶମ୍ବାରିଆ ବେହେରା କିନ୍ନରମାନଙ୍କୁ ରୋଜଗାରରକ୍ଷମ କରିବା ନିମନ୍ତେ ପଞ୍ଚାୟତ ସ୍ତରରେ ଟେକ୍ନିସିଆନ ଭାବେ ନିଯୁକ୍ତି ଦେବା ପାଇଁ ବ୍ୟବସ୍ଥା ଅଛି ବୋଲି ଘୋଷଣା କରିଥିଲେ । ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ହରିପ୍ରିୟା ମେହେର ଶିଶୁ ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଯୋଜନା ବିଷୟରେ ପଞ୍ଚାୟତ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ । ଫିରିଙ୍ଗିଆ ଅଞ୍ଚଳର ୪ ଜଣ କିନ୍ନର ମୁନି, ବୈଶାଖୀ, ରିଙ୍କି, ମନିଷା କିନ୍ନରଙ୍କୁ ସ୍ୱୀକୃତି ଯୋଜନା ତରଫରୁ ଉପ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ କନ୍ଧମାଳ ଜିଲ୍ଲାର କିନ୍ନର ମାନଙ୍କ ଅଧିକାର ପାଇଁ ସଦାଚେଷ୍ଟିତ ସାମ୍ବାଦିକ ଅଶୋକ ମହାନ୍ତିଙ୍କୁ ମୁଖ୍ୟ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

19 − one =