ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

0 60

ପୁରୀ : ପ୍ରତିଟି ପିଲା ମଧ୍ୟରେ ପ୍ରତିଭା ରହିଛି । ସେମାନଙ୍କ ଅନ୍ତର୍ନିହିତ ଗୁଣକୁ ଚିହ୍ନି ବିକଶିତ କରାଯାଇ ପାରିଲେ ତାହା ରାଜ୍ୟ ଓ ଦେଶ ପାଇଁ ସମ୍ବଳ ହୋଇପାରିବ । ଏଥିରେ ପୁଅ ଓ ଝିଅ ମଧ୍ୟରେ କୌଣସି ପ୍ରଭେଦ ଅନୁଚିତ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ । ମଙ୍ଗଳବାର ପୂର୍ବାହ୍ନରେ ପୁରୀ ମହିଳା ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓ ଏହାକୁ ଉଦଘାଟନ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ପୁରାଣ ଓ ଇତିହାସ ର ଉଦାହରଣ ଦେଇ ନାରୀର ବିକଳ୍ପ ନାହିଁ ବୋଲି କହିଥିଲେ । ସାମ୍ପ୍ରତିକ ସମୟରେ ଶିଶୁ କନ୍ୟାମାନଙ୍କ ପ୍ରତି ଅବହେଳା ଓ ନିର୍ଯାତନା ଦୁଃଖଦାୟକ । ଏହାକୁ ପ୍ରତିହତ କରିବାକୁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରତିଟି କନ୍ୟା ଜଣେ ଜଣେ ଦେବ କନ୍ୟା । ନିଜର ଲୁକ୍କାୟିତ ଶକ୍ତି ଓ ପ୍ରତିଭାକୁ ପ୍ରତିପାଦିତ କରି ନିଜର ଶ୍ରେଷ୍ଠ ପ୍ରଦର୍ଶନ ମାଧ୍ୟମରେ ନିଜ ପରିଚୟ ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଜିଲ୍ଲାରେ ଶିଶୁ ମାନଙ୍କ ସ୍ଥିତି, ସେମାନଙ୍କ ଭବିଷ୍ୟତ, ସୁରକ୍ଷା ପାଇଁ ପଦକ୍ଷେପ, ଟାସ୍କଫୋର୍ସ ଗଠନ ଇତ୍ୟାଦି ସମ୍ପର୍କରେ ବିଷଦ ସୂଚନା ପ୍ରଦାନ କରିଥିଲେ । ପୁରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ୱନାଥ ଦାସ,ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକ ଜୟ ଶଙ୍କର ଜୋଶୀ, ସ୍ୱେଚ୍ଛାସେବୀ ସଂଗଠନ ସମ୍ପର୍କର ସମ୍ପାଦକ ସୌମେନ୍ଦ୍ର ଦାସ, ଯୁଗ୍ମ ସମ୍ପାଦକ ରୋଜାଲିନ ମିଶ୍ର ପ୍ରମୁଖ ଶିଶୁ କନ୍ୟା ମାନଙ୍କ ସାମାଜିକ ସ୍ଥିତି, ଆବଶ୍ୟକତା, ଭବିଷ୍ୟତ ଓ ସାମାଜିକ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷାବିତ ସୁକାନ୍ତ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଝିଅମାନଙ୍କ ଦାୟିତ୍ୱ ଓ ଅଧିକାର ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ପରେ କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

13 + seven =