ସମ୍ବଲପୁର : ସମଗ୍ର ଦେଶରେ ଚହଳ ପକାଇଥିବା ସମ୍ବଲପୁର ଓକିଲଙ୍କ ଆନ୍ଦୋଳନ ଆଜି ସନ୍ଧ୍ୟାରୁ ସାମୟିକ ଭାବେ ସ୍ଥଗିତ ରହିଛି ବୋଲି ଘୋଷଣା କରାଯାଇଛି । ଗତକାଲି ଶାନ୍ତିପୂର୍ଣ୍ଣ ରୂପେ ଆରମ୍ଭ ହୋଇଥିବା ସତ୍ୟାଗ୍ରହ ଆନ୍ଦୋଳନ କିଛି ସମୟ ପରେ ହଠାତ ହିଂସ୍ର ହୋଇଯାଇଥିଲା ଓ ଜିଲ୍ଲା ଜଜଙ୍କ ସହିତ କିଛି ବିଚାର ବିଭାଗୀୟ ଅଧିକାରୀଙ୍କ ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ ଯୋଗୁଁ ଆଜି ବିସ୍ତୃତ ଆଲୋଚନା ପରେ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲା ଓକିଲ ସଂଘ ସୂତ୍ରରୁ ପ୍ରକାଶ । ଏହା ସହିତ ଜାତୀୟ ଅଧିବକ୍ତା ପରିଷଦ ଦ୍ୱାରା ଏଠାକାର ଓକିଲଙ୍କ ଲାଇସେନ୍ସ ନିଳମ୍ବିତ ଘୋଷଣା ଉପରେ ଉଚ୍ଚସ୍ତରୀୟ ତର୍ଜମା କରାଯାଉଛି କି ରାଜ୍ୟ ଅଧିବକ୍ତା ପରିଷଦ ଦ୍ୱାରା ଜାରି ଏହି ଲାଇସେନ୍ସ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରିବାରେ ଜାତୀୟ ପରିଷଦର କ୍ଷମତା ରହିଛି କି ନାହିଁ? ଇତିମଧ୍ୟରେ ଗତକାଲିର ହିଂସାକାଣ୍ଡକୁ କେନ୍ଦ୍ର କରି ପୁଲିସ ଏପର୍ଯ୍ୟନ୍ତ ୧୭ ଜଣ ଓକିଲଙ୍କୁ ଗିରଫ କରିଛି ଓ ସେ ବିଷୟରେ ଆସନ୍ତା କାଲି ଆଲୋଚନା କରାଯିବ ବୋଲି କୁହାଯାଇଛି । ଓକିଲଙ୍କ ଏହି ଆନ୍ଦୋଳନକୁ ନେଇ ଏଠାରେ ଚାରିଆଡେ ବ୍ୟାପ୍ତ ମାନସିକ ଚାପ ଆଜିକାର ଘୋଷଣା ପରେ ଅନେକାଂଶରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।