ରାୟଗଡା: ରାୟଗଡା ସହରର ସ୍ଥାନୀୟ ହୋଟେଲ ସାଇ ଇଣ୍ଟରନ୍ୟାସନାଲରେ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ତେବେ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି । ରାୟଗଡା ଜିଲ୍ଲା ପରିଭ୍ରମଣ ସକାଶେ ଉକ୍ତ ଋଷିଆ ପର୍ଯ୍ୟଟକ ଜଣକ ଆସିଥିବା ବେଳେ ସନ୍ଦେହଜନକ ଅବସ୍ଥାରେ ସେ ମୃତ୍ୟୁ ବରଣ କରିଛନ୍ତି । ମୃତ ପର୍ଯ୍ୟଟକଙ୍କ ନାମ ହେଲା ବ୍ଲାଡିମିର ବିଦାନୋଭ(୬୨ ବର୍ଷ) । ଗତ ୨୧ ରିଖ ଦିନ ସେ ଦାରିଙ୍ଗବାଡ଼ି ଠାରୁ ରାୟଗଡ଼ା ଆସିଥିବା ଜଣାପଡିଛି । ତାଙ୍କ ସହ ଆହୁରି ୪ ଜଣ ପର୍ଯ୍ୟଟକ ରାୟଗଡ଼ା ଆସିଥିଲେ । ତେବେ ବିଦାନୋଭ ଅତ୍ୟଧିକ ମଦ୍ୟପାନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥବା ଗାଇଡ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି । ଅନ୍ୟପଟେ ଶବ ବ୍ୟବଚ୍ଛେଦ ହୋଇନଥିବା ଯୋଗୁଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଗତ ଗୁରୁବାର ଏହି ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଁଚିଲା ପରେ ଏହା ଲୋକଲୋଚନକୁ ଆସିଛି । ଗୁରୁବାର ଦିନ ବିଦାନୋଭଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ହୋଟେଲ କର୍ମଚାରୀ ଓ ଗାଇଡ ଆମ୍ବୁଲାନ୍ସ ଡାକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ । ଏଥିସହ ପୁଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା । ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଗାଇଡ ପ୍ରକାଶ କରିଛନ୍ତି । ମୃତ୍ୟୁ ପରେ ତାଙ୍କ ଶବକୁ ମେଡିକାଲ ଶବଗୃହ ପରିସରରେ ରଖାଯାଇଥିବା ସୂଚନା ମିଳିଛି । ଆସନ୍ତାକାଲି ଅର୍ଥାତ ଶନିବାର ଦିନ ମୃତ ବିଦାନୋଭଙ୍କ ପରିବାର ରାୟଗଡ଼ା ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି ।