ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଅବ୍ୟବସ୍ଥା ପ୍ରସଂଗ : ହରଭଙ୍ଗା ଅସ୍ଥାୟୀ ଶିବିର ପରିଦର୍ଶନ କଲେ ବିଧାୟକ ଓ ପ୍ରଶାସନିକ ଅଧିକାରୀ
ହରଭଙ୍ଗା : ହରଭଙ୍ଗା ପଞ୍ଚାୟତ ମହାବିଦ୍ୟାଳୟଠାରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯାଇଛି । ଏହି ଶିବିରରେ ୭୨ଜଣ ପ୍ରବାସୀ ଶ୍ରମିକ ରହୁଛନ୍ତି । ଗତ ଶନିବାର ଦିନ ଏହି ଶିବିରରେ ଅବ୍ୟବସ୍ଥାକୁ କେନ୍ଦ୍ର କରି ଫାଟକ ସାମ୍ନାକୁ ଆସି ରାଜରାସ୍ତା ଉପରେ ୨ ଘଣ୍ଟା ଧରି ହୋହାଲ୍ଲା କରିଥିଲେ । ପରେ ହରଭଙ୍ଗା ପୁଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରି ଶିବିରକୁ ଫେରାଇ ନେଇଥିଲେ । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ବୌଦ୍ଧ ଉପଜିଲ୍ଲାପାଳ ଏନ ସି ଜ୍ୟୋତିରଂଜନ. ନାଏକ, ହରଭଙ୍ଗା ବିଡିଓ ଶରତ ଚନ୍ଦ୍ର ବାଗ, ପୂର୍ବତନ ସରପଞ୍ଚ ସୁବୋଧ ପ୍ରଧାନ, ହରଭଙ୍ଗାଥାନା ଅଧିକାରୀ ଏସ୍. ରାୟଗୁରୁ ପ୍ରମୁଖ ହରଭଙ୍ଗା ସଂଗରୋଧ କେନ୍ଦ୍ରକୁ ଆସି କେନ୍ଦ୍ର ପରିଦର୍ଶନ କରିବା ସହ ସ୍ଥାନୀୟ ସରପଞ୍ଚ ଶ୍ରୀ ଲାଲଙ୍କ ଘଟଣା ବିଷୟରେ ଆଲୋଚନା କରିଥିଲେ । ଅନ୍ତେବାସୀଙ୍କ ଦାବି ମୁତାବକ ଉନ୍ନତମାନର ଖାଦ୍ୟ ସହିତ ଆବଶ୍ୟକ କିଟ୍ ଯୋଗାଇ ଦିଆଯାଇଥିବା ସରପଞ୍ଚ ପ୍ରକାଶ କରିଥିଲେ । ବିଧାୟକ ଶ୍ରୀ ଅମାତ ପ୍ରଶାସନକୁ ପରାମର୍ଶ ଦେଇ କହିଥିଲେ ହରଭଙ୍ଗା ବ୍ଲକର ସମସ୍ତ ଅନ୍ତେବାସୀଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଇଥିଲେ । ବିଧାୟକ ଶ୍ରୀ ଅମାତ ହରଭଙ୍ଗା ଓ ଛତ୍ରଙ୍ଗ ଅସ୍ଥାୟୀ ଶିବିର ପରିଦର୍ଶନ କରି ଅନ୍ତେବାସୀଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ ।