ସମାଜର ସାମୂହିକ ବିକାଶରେ ଗଣମାଧ୍ୟମ, ସାମାଜିକ କର୍ମୀ ଓ ଜନ ପ୍ରତିନିଧିଙ୍କର ସମନ୍ୱୟ ଓ ଭୂମିକାକୁ ନେଇ ଆଲୋଚନା ଚକ୍ର

0 54

କନ୍ଧମାଳ/ଘୁ. ଉଦୟଗିରି : ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ, କନ୍ଧମାଳଙ୍କ ଆୟୋଜନ ଓ ଡିଏସଏସଓ, କନ୍ଧମାଳଙ୍କ ସହଯୋଗରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି ଯାହାର ବିଷୟ ଥିଲା ସମାଜରେ ସାମୁହିକ ବିକାଶରେ ଗଣମାଧ୍ୟମ, ସ୍ୱେଚ୍ଛାସେବୀ ଓ ଜନ ପ୍ରତିନିଧିଙ୍କର ସମନ୍ୱୟ ଓ ଭୂମିକା । ଆଜିର ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ଜିଲ୍ଲା ସଭାପତି ଶିଶିର ପଟ୍ଟନାୟକ, ବରିଷ୍ଠ ଆଇନଜିବୀ ବିଜୟ ପଟ୍ଟନାୟକ ମଞ୍ଚାସିନ ହୋଇଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ସ୍ୱାତୀ ସଂଗଠନର ସମ୍ପାଦକ ହରିଶଙ୍କର ରାଉତ ସ୍ୱାଗତ ଜଣାଇବା ପରେ ବିଜୟ ପଟ୍ଟନାୟକ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ସମସ୍ତ ଅତିଥି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଆଜି ଓଡିଶାର ଗର୍ବ ଗୌରବ ଇଗଲର ଝଡ଼ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପରେ ସମସ୍ତେ ଠିଆ ହୋଇ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରବେଷଣ ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଆଜିର ଆଧୁନିକ ଦୁନିଆରେ ସମାଜର ସାମୁହିକ ଉନ୍ନତି ନିମନ୍ତେ ଗଣମାଧ୍ୟମ ପ୍ରତିନିଧି, ଜନ ପ୍ରତିନିଧି ଓ ସ୍ୱେଚ୍ଛାସେବୀ ବା ସାମାଜିକ କର୍ମୀ ମାନଙ୍କର ଦାୟିତ୍ୱ, କର୍ତ୍ତବ୍ୟ ଓ ଭୂମିକା ବିଷୟରେ କହିବାକୁ ଯାଇ ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକ ଗଣମାଧ୍ୟମ ପ୍ରତିନିଧିଙ୍କ ନିରପେକ୍ଷତା, ଜନପ୍ରତିନିଧିଙ୍କ ଜନସେବା ପାଇଁ ଦାୟିତ୍ୱ ଓ ସମାଜସେବୀମାନଙ୍କ ସାମାଜିକ ଉନ୍ନତି ପାଇଁ ସ୍ୱେଚ୍ଛାକୃତ କର୍ତ୍ତବ୍ୟ ବିଷୟରେ ବହୁତ୍‌ ସୁନ୍ଦର ବକ୍ତବ୍ୟ ରଖିଥିଲେ । ମଞ୍ଚାସିନ ସମସ୍ତ ଅତିଥି ମାନେ ମଧ୍ୟ ସମାଜସେବୀ,ଜନପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ଆବଶ୍ୟକ ଥିବା ସମନ୍ୱୟ ଓ ଭୂମିକା ବିଷୟରେ ନିଜ ନିଜ ମତ ରଖିଥିଲେ । ବରିଷ୍ଠ ସାମ୍ବାଦିକ ସମୀର ପାଢ଼ୀ ସରକାରୀ ଯୋଜନା ଗୁଡ଼ିକର ଠିକ୍‌ ବିନିଯୋଗ ହେବା ଓ ସମାଜର ଉନ୍ନତି ନିମନ୍ତେ ନିଃସ୍ୱାର୍ଥପର ସେବାରେ ସମସ୍ତ ଜନତା, ଜନପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କାର୍ଯ୍ୟ କରିବାକୁ ହେବ ଓ ନିଶ୍ଚିତ ସମାଜର ଉନ୍ନତି ହେବ ବୋଲି ମତ ରଖିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧି ବ୍ଲକ, ଏନଏସି, ଘୁ. ଉଦୟଗିରି ସାମ୍ବାଦିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷ ଭାଗରେ ସମାଜ ନିମନ୍ତେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକ ଓ ସମାଜସେବା ନିମନ୍ତେ ପ୍ରଦାତା ସ୍ୱେଚ୍ଛାସେବୀ ସଂଗଠନର ସମ୍ପାଦକ ପ୍ରଦୀପ ଦାସଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଗଲା । ଶେଷରେ କାର୍ଯ୍ୟକ୍ରମ ପରିଚାଳକ ଆଇନଜିବୀ ବିଜୟ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ୍‌ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

one × five =