ଏନ୍‌ଏସି ଅନ୍ତର୍ଭୁକ୍ତ ଅବହେଳିତ ଗାଁ ଲଣ୍ଡ୍ରୁକେତା, ଦେଶୀ ଡଙ୍ଗା ଏକମାତ୍ର ସାହାଭରଷା

0 125

ବାଲିଗୁଡ଼ା: ନଦୀ ଉପରେ ପୋଲଟିଏ ନିର୍ମାଣ କରିବା ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ଏଯାବତ୍‌ ଫଳ ଶୂନ । ଫଳରେ ଦୈନନ୍ଦିନ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ଭରା ନଈରେ ଜୀବନକୁ ବାଜି ଲଗାଇ ଦେଶୀ ଡଙ୍ଗାରେ ଯାତାୟାତ କରୁଛନ୍ତି ଅଞ୍ଚଳବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସି ଅଞ୍ଚଳରେ । ବାଲିଗୁଡ଼ା ଏନ୍‌ଏସିର ତିନି ନମ୍ବର ୱାର୍ଡ ଅନ୍ତର୍ଗତ ବାନ୍ଦାପାଙ୍ଗା ନିକଟସ୍ଥ ଖଡ୍ଗ ନଦୀ ଆରପାରିରେ ରହିଛି ଲଣ୍ଡ୍ରୁକେତା ଗାଁ । ଏଥିସହିତ କ.ନୂଆଗାଁ ବ୍ଲକ୍‌ ୪-୫ଟି ଗାଁ ମଧ୍ୟ ରହିଛି । ଏହି ଗ୍ରାମବାସୀ ଶିକ୍ଷା, ସ୍ୱାସ୍ଥ୍ୟ ସମେତ ଦୈନନ୍ଦିନ କାର୍ଯ୍ୟରେ ବାଲିଗୁଡ଼ା ସହର ଉପରେ ନିର୍ଭରଶୀଳ । ହେଲେ ରାସ୍ତା ଅଭାବରୁ ଖଡ୍ଗ ନଦୀ ପାର ହୋଇ ଛାତ୍ରଛାତ୍ରୀ ପାଠ ପଢ଼ିବାପାଇଁ ଆସନ୍ତି ବାଲିଗୁଡ଼ା । ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରେନି ଏହି ଅଞ୍ଚଳକୁ ଫଳରେ ଭାର କରି ରୋଗୀ ଓ ପ୍ରସୂତି ମହିଳାଙ୍କୁ ନଦୀପାର କରି ଡାକ୍ତରଖାନାକୁ ଆଣନ୍ତି ଅଞ୍ଚଳବାସୀ । ଅନ୍ୟପକ୍ଷରେ ଦୈନନ୍ଦିନ କାର୍ଯ୍ୟରେ ଏହି ଖଡ୍ଗ ନଦୀ ମୁଖ୍ୟ ରାସ୍ତା ପାଲଟିଛି ଅଞ୍ଚଳବାସୀଙ୍କ ପାଇଁ । ବର୍ଷା ଦିନରେ ନଦୀ ବଢ଼ିଲେ କଥା ସରିଲା । ଛାତ୍ରଛାତ୍ରୀଙ୍କ ପାଠରେ ଡୋରୀ ବନ୍ଧା ହେବାସହ ଚିକିତ୍ସା ଅଭାବରୁ ଅନେକ ରୋଗୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।

hiring

କିଛି ଲୋକ ଦୁଃସାହସିକ ପଦକ୍ଷେପ ନେଇ ଭରା ନଇରେ ପଶି ନଦୀ ପାର ହେବାବେଳେ ନଦୀର ପ୍ରଖର ସ୍ରୋତରେ ଭାସି ପ୍ରାଣ ହରାଇଥିବା ବେଳେ ଦେଶୀ ଡଙ୍ଗାରେ ଯାତାୟାତ ବେଳେ ଡ଼ଙ୍ଗା ଓଲଟି ଅନେକଙ୍କ ଜୀବନ ମଧ୍ୟ ଯାଇଥିବା ନଜିର୍‌ ରହିଛି । ନଦୀ ଆରପାରିରେ ରହିଥିବା ଅନ୍ୟୁନ ଚାରୋଟି ଗାଁରେ ପ୍ରାୟ ତିନି ହଜାର (୩୦୦୦) ଲୋକ ବସବାସ କରନ୍ତି । ହେଲେ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । ଫଳରେ ଆଜିବି ଲୋକେ ଦେଶୀ ଡଙ୍ଗାକୁ ଭରଷା କରି ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଥିବା କହିଛନ୍ତି ଅଞ୍ଚଳବାସୀ । ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେଉ ଅବା ପ୍ରଶାସନିକ ଅବହେଳା କାରଣରୁ ଆଜି ପର୍ଯ୍ୟନ୍ତ ଏହି ନଦୀ ଉପରେ ପୋଲଟିଏ ହୋଇପାରିନାହିଁ । ଫଳରେ ଅଞ୍ଚଳବାସୀ ବହୁ ଧନଜୀବନ ହରାଇଥିବା ସହ ଦୈନନ୍ଦିନ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବର୍ତ୍ତମାନ ଏହି ନଦୀ ଉପରେ ଅନ୍ତତଃ ଏକ ଝୁଲା ପୋଲଟିଏ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କଲେ ବାଲିଗୁଡ଼ା ଏନ୍‌ଏସି ଅନ୍ତର୍ଭୁକ୍ତ ବିଛିନ୍ନ ଗାଁ ସମେତ ଆଖପାଖ ଗ୍ରାମବାସୀମାନେ ଉପକୃତ ହୋଇପାରନ୍ତେ ।

hiranchal ad1
Leave A Reply

Your email address will not be published.

sixteen + 8 =