ବିଜାପୁର, ୧୮/୦୮ : ଛତିଶଗଡ଼ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ଜଣେ ଡିଆରଜି ଯବାନ ସହିଦ ହୋଇଥିବା ବେଳେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସହିଦ ହୋଇଥିବା ଯବାନ ଜଣଙ୍କ ଦିନେଶ ନାଗ ବୋଲି ଜଣାପଡ଼ିଛି। ବସ୍ତର ଆଇଜି ପି. ସୁନ୍ଦରରାଜ ଏନେଇ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ବିଜାପୁର ଜିଲ୍ଲାର ଜାତୀୟ ଉଦ୍ୟାନରେ ନକ୍ସଲମାନେ ଯବାନଙ୍କୁ ଟାର୍ଗେଟ୍ କରି ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ। ସୋମବାର ସକାଳେ ମାଓ ବିରୋଧୀ ଅପରେସନ ଚାଲିଥିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ପ୍ରକାଶ ଥାଉକି, ଅଗଷ୍ଟ ୧୪ ତାରିଖରେ, ସୁରକ୍ଷା ବାହିନୀ ଛତିଶଗଡ଼ର ମୋହଲା-ମାନପୁର-ଆମ୍ବାଗଡ଼ ଚୌକି ଜିଲ୍ଲାରେ ଏନକାଉଣ୍ଟର ହୋଇଥିଲା। ଏଥିରେ ୨ ହାର୍ଡକୋର୍ ମାଓବାଦୀ ନିହତ ହୋଇଥିଲେ। ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ସଦସ୍ୟ ବିଜୟ ରେଡ୍ଡୀ ଏବଂ ରାଜନନ୍ଦଗାଓଁ-କାଙ୍କେର ସୀମା ଡିଭିଜନର ସମ୍ପାଦକ ଲୋକେଶ ସାଲାମେ ନିପାତ ହୋଇଥିଲେ। ଦୁହିଁଙ୍କ ମୁଣ୍ଡ ଉପରେ ୧.୧୬ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା।
