ଶହୀଦ ମଧୁ ଗଡତିଆଙ୍କ ନାମରେ ଯୁଯୁମୁରା ହକି ଏକାଡେମୀକୁ ନାମିତ କରିବା ପାଇଁ ଦାବି

0 55

ସମ୍ବଲପୁର: ସ୍ଥାନୀୟ ଯୁଯୁମୁରା ହକି ଏକାଡେମୀକୁ ସେଠାକାର ଭୂମିପୁତ୍ର ଶହୀଦ ମଧୁ ଗଡତିଆଙ୍କ ନାମରେ ନାମିତ କରିବାକୁ ଅଂଚଳର ସମସ୍ତ ନିର୍ବାଚିତ ସରପଂଚ ଓ ସମିତି ସଭ୍ୟ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଏକ ସ୍ୱରରେ ଦାବି କରିଛନ୍ତି । ଯୁଯୁମୁରା ସ୍ଥିତ ବୀର ସୁରେନ୍ଦ୍ର ସାଏ କଲେଜରେ ଶହୀଦ ମଧୁ ଗଡତିଆ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଶୌର୍ଯ୍ୟ ଦିବସ ପାଳନ ଉତ୍ସବରେ ଯୋଗଦେଇ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧିମାନେ ଏହି ଦାବି କରିଛନ୍ତି । ଆମ ଇତିହାସ ଅନୁସାରେ ୧୮୫୭ ମସିହାର ଏହି ଦିବସରେ ମଧୁ ଗଡତିଆଙ୍କ ନେତୃତ୍ୱରେ ସଂଗ୍ରାମୀମାନେ ଡା. ଥୋମାସ ମୂରଙ୍କୁ ଯୁଯୁମୁରାରେ ହତ୍ୟା କରିଥିଲେ । ତାଙ୍କ ସହଯାତ୍ରୀ ହେନସନ ଅଳ୍ପକେ ରକ୍ଷା ପାଇଥିଲେ । ବିଡିଓ ନିଲାମ୍ବର ମହାନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କଲେଜ ଲାଇବ୍ରେରୀକୁ ମଧୁ ଗଡତିଆଙ୍କ ନାମରେ ନାମିତ କରିବାକୁ ପରାମର୍ଶ ଦେଇଥିଲେ । କଲେଜ ରାସ୍ତାକୁ ମଧ୍ୟ ତାଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ଦେଲେ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବେ ବୋଲି କହିଥିଲେ । ସେଠାରେ ଏକ ସ୍ୱାଗତ ତୋରଣ ନିର୍ମାଣ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ରାଜେନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଐତିହାସିକ ଦୀପକ କୁମାର ପଣ୍ଡା କହିଲେ, ମଧୁ ଗଡତିଆ ରେଢାଖୋଲ-ସମ୍ବଲପୁର ରାସ୍ତା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖି ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ହୋଇଥିବା ସମ୍ବଲପୁର ସଂଗ୍ରାମର ସଫଳତାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ଡା. ମୂରଙ୍କୁ ହତ୍ୟା କରି ବ୍ରିଟିଶ ଶିବିରରେ ଆଲୋଡନ ଏବଂ ଆତଙ୍କ ଖେଳାଇ ଦେଇଥିଲେ । ଶ୍ରୀ ପଣ୍ଡା ଡା ମୂରଙ୍କ ହତ୍ୟା, ମଧୁ ଗଡତିଆଙ୍କ ଗିରଫଦାରୀ, ତାଙ୍କ ବିରୁଦ୍ଧରେ ହୋଇଥିବା ମୋକଦ୍ଦମା ତଥା ଫାଶୀର ବିସ୍ତୃତ ବିବରଣୀ ପ୍ରଦାନ କଲେ ବୀର ସୁରେନ୍ଦ୍ର ସାଏ କଲେଜର ଅଧ୍ୟକ୍ଷ ମନୋଜ ହୋତା, ଯୁଯୁମୁରା ସମିତି ସଭ୍ୟ ଜୟନ୍ତ ପ୍ରଧାନ, ଲିପିଣ୍ଡା ସରପଞ୍ଚ ପ୍ରଫୁଲ୍ଲ ମିର୍ଦ୍ଧା, ମେଘପାଳ ସରପଂଚ ମମତା ପ୍ରଧାନ, କଂସର ସରପଂଚ ଦିବାକର ବେହେରା, ସୁରେଶ ପ୍ରଧାନ, ରଜନୀକାନ୍ତ ପାଣିଗ୍ରାହୀ, ଦିବ୍ୟକିଶୋର ପ୍ରଧାନ ପ୍ରମୁଖ ଯୋଗ ଦେଇ ମଧୁ ଗଡତିଆଙ୍କ ସମ୍ପର୍କରେ ଅଧିକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ । ଶୌର୍ଯ୍ୟ ଦିବସ ପାଳନ ଅବସରରେ ଆୟୋଜିତ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତାର ବିଭିନ୍ନ ବର୍ଗର ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ହକି ଖେଳାଳି ସୁନୀତା ଲୁଗୁନ ତଥା ଧନୁତୀର ଚାଳନାର କ୍ରୀଡାବିତ୍‌ ଅର୍ଣ୍ଣବ ଦେହୁରୀ, ଅନ୍ୱେଷା ଦେହୁରୀ, ସୂରୁମଣି ସମଦ, ଜୟଲିନ କେର୍କେଟା, ରଶ୍ମୀରଂଜନ ନାୟକ, ମାନସ ରଂଜନ ମୁଣ୍ଡା, ସୂର୍ଯ୍ୟ ପାଲେଆ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କଲେଜ, ହାଇସ୍କୁଲ, ବାଳିକା ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ତଥା କିଛି ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତି ଉତ୍ସବରେ ଯୋଗଦେଇ ଥିଲେ ।

hiranchal ad1
Leave A Reply

Your email address will not be published.

4 + eight =