ପୁରୀ ସହରର ୫ ପ୍ରମୁଖ ରାସ୍ତାରେ ବିଛାଯିବ ଭୂତଳ କେବୁଲ, ସହରବାସୀଙ୍କୁ ମିଳିବ ନିରବଛିନ୍ନ ବିଦ୍ୟୁତ ସେବା

0 104

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପୁରୀ ସହରର ୫ ପ୍ରମୁଖ ରାସ୍ତାରେ ବିଛାଯିବ ଭୂତଳ କେବୁଲ । ଏହାଦ୍ୱାରା ବର୍ଷା, ପବନ ସମୟରେ ଆଉ ବିଦ୍ୟୁତ କାଟର ଭୟ ରହିବ ନାହିଁ । ଉପଭୋକ୍ତା ମାନଙ୍କୁ ୨୪ ଘଣ୍ଟିଆ ନିରବଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବା ସହ ରାସ୍ତାରେ ଯାତାୟତ କରିବା ମଧ୍ୟ ସୁଗମ ହେବ । ଖୁବଶୀଘ୍ର ଏହି କାମ ଆରମ୍ଭ ହୋଇ ୨୦୨୩ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ରାଜ୍ୟ ସରକାର ୧୫ କି.ମି ଭୂତଳ କେବୁଲ ବିଛାଇବା ପାଇଁ ୪୫ କୋଟି ଟଙ୍କା ମଂଜୁର କରିଥିଲେ । ମାତ୍ର ଏହି ପ୍ରକଳ୍ପ କାମ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ନ ଥିବାରୁ ପ୍ରକଳ୍ପର ଭବିଷ୍ୟତକୁ ନେଇ ଏବେ ଉଠିଛି ପ୍ରଶ୍ନ ।
ଖୁବଶୀଘ୍ର ପୁରୀ ସହର ବାସୀଙ୍କୁ ମିଳିବ ୨୪ ଘଣ୍ଟିଆ ନିରବଛିନ୍ନ ବିଦ୍ୟୁତ୍‌ ସେବା । ବଡଦାଣ୍ଡରେ ସଂଯୋଗ ହେବ ଭୂତଳ ବିଦ୍ୟୁତ୍‌ କେବୁଲ । ଶ୍ରୀମନ୍ଦିରକୁ ସିଧାସଳଖ ସଂଯୋଗ କରୁଥିବା ପ୍ରମୁଖ ୩ ଟି ରାସ୍ତା ଓ ବଡଦାଣ୍ଡକୁ ସଂଯୋଗ କରୁଥିବା ୨ଟି ରାସ୍ତାରେ ବିଛାଯିବ ଭୂତଳ ବିଦ୍ୟୁତ୍‌ କେବୁଲ । ୪୫ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୫ ଟି ରାସ୍ତାରେ ୧୫ କିଲୋମିଟର ପର୍ଯ୍ୟନ୍ତ ଭୂତଳ କେବୁଲ ବିଛାଯିବ । ସେଥି ମଧ୍ୟରୁ ଚୈତନ୍ୟ ଛକରୁ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା, ଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିର, ମୋଚି ସାହି ଛକରୁ ଶ୍ରୀମନ୍ଦିର, ନରେନ୍ଦ୍ର ପୁଷ୍କରିଣୀରୁ ଶ୍ରୀମନ୍ଦିର ଏବଂ ରେଡକ୍ରସ ରୋଡରୁ ଗ୍ରାଣ୍ଡ ରୋଡକୁ ସଂଯୋଗ କରୁଥିବା ରାସ୍ତା ତଳେ ଭୂତଳ କେବୁଲ ବିଛାଯିବା ନେଇ ଆରମ୍ଭ ହୋଇଥିଲା ପ୍ରକ୍ରୀୟା । ଏଥିପାଇଁ ଟେଣ୍ଡର ମଧ୍ୟ ସରିଥିବା ବେଳେ ଟାଟା ପାୱାର କମ୍ପାନୀ ଦୁଇବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୩ ମାର୍ଚ୍ଚ ସୁଦ୍ଧା ଏହି କାର୍ଯ୍ୟ ସମ୍ପୁର୍ଣ୍ଣ କରିବାକୁ ଟାର୍ଗେଟ ଦିଆଯାଇଥିଲା । କିନ୍ତୁ କାମ ସରିବା ତ ଦୂରରେ ଥାଉ ଏ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ନ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ପ୍ରକଳ୍ପ କାର୍ଯ୍ୟକ୍ରମ ଯଥାଶୀଘ୍ର ଆରମ୍ଭ କରିବାକୁ ଦାବି ହୋଇଛି ।
ବିଶ୍ୱ ପର୍ଯ୍ୟଟନ ସହର ଭାବେ ପୁରୀର ସ୍ୱତନ୍ତ୍ର ପରିଚୟ ରହିଛି । ପ୍ରତିଦିନ ଏଠାକୁ ହଜାର ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସୁଥିବାର ଭିଡକୁ ନଜରରେ ରଖି ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ପର୍ଯ୍ୟଟକ ତଥା ସହର ବାସୀଙ୍କ ଯାତାୟତ ହେଉ ଅବା ଠାକୁରଙ୍କ ବିମାନ ଓ ପାଲିଙ୍କି ନେବାରେ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହୋଉ । ତେଣୁ ଭୂତଳ ବିଦ୍ୟୁତ୍‌ କେବୁଲ ଦ୍ୱାରା ଆଉ ଏହି ସମସ୍ୟା ରହିବ ନାହିଁ । ରାସ୍ତା ଓସାରିଆ ହେବା ସହ ଜବରଦଖଲ ମୁକ୍ତ ମଧ୍ୟ ହୋଇପାରିବ । କେବଳ ସେତିକି ନୁହେଁ ପୁରୀ ଏକ ବାତ୍ୟାପ୍ରବଣ ଅଂଚଳ ହୋଇଥିବାରୁ ପ୍ରତିବର୍ଷ ଅନେକ ଥର ପୁରୀରେ ବାତ୍ୟା ଅନୁଭୂତ ହେଉଥିବାରୁ ଦିନ ଦିନ ଏଠାରେ ବିଦ୍ୟୁତ ବିଛିନ୍ନ ହୋଇଥାଏ । ଭୂତଳ କେବୁଲ ସଂଯୋଗ କରାଗଲେ ବାତ୍ୟା ସମୟରେ ପୁରୀବାସୀ ବିଦ୍ୟୁତ ବିଛିନ୍ନରୁ ବଞ୍ଚିତ ହୋଇପାରନ୍ତେ । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଭୂତଳ ବିଦ୍ୟୁତ କେବୁଲ କାମ ଶୀଘ୍ର ଆରମ୍ଭ କରି ଶେଷ କରିବାକୁ ସାଧାରଣରେ ଦାବି ହୋଇଛି ।
ବାତ୍ୟା ଫନି ପରେ ଶ୍ରୀକ୍ଷେତ୍ରକୁ ଐତିହ୍ୟ ନଗରୀ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ଏନେଇ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଜୋର ସୋରରେ ଆଗେଇ ଚାଲିଛି । ତେବେ ସହରରେ ନିରବଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇଦେବା ପାଇଁ କେବେ ସାରା ସହରରେ ଭୂତଳ କେବୁଲ ବିଛାଯିବ ତାହା ଉପରେ ଏବେ ସହରବାସୀଙ୍କ ନଜର ।

hiranchal ad1
Leave A Reply

Your email address will not be published.

16 − fourteen =