ଘୁ.ଉଦୟଗିରୀ:ଆଜି ସ୍ଥାନୀୟ ବ୍ଲକ ଅଧିନରେ ଥିବା କଳିଙ୍ଗା ପଞ୍ଚାୟତର କଳିଙ୍ଗା ଘାଟିରେ ଏକ ଦୁର୍ଘଟଣା ଘଟିଛି । ବରଗଡ଼ ଧାନ ମିଲରୁ ବ୍ରହ୍ମପୁର ଯାଉଥିବା ଏକ ପିକଅପ୍ ବୋଲେରୋ ଗାଡ଼ି ଓଡ଼ି ୦୩ ଏଫ୍ ୭୫୧୨ ନମ୍ୱର୍ ବିଶିଷ୍ଟ କିଛି ଧାନ ମିଲ୍ ଜିନିଷ ନେଇ ଯାଉଥିବା ବେଳେ ଗାଡ଼ିର ବ୍ରେକ ଫେଲ ହେବା ଫଳରେ ଭାରସାମ୍ୟ ହରେଇ ଅନ୍ଧାରିକୋଟ ନିକଟ ବୁଲାଣିରେ ଓଲୋଟି ପଡିଥିଲା । ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଗାଡ଼ି ଓଲୋଟି ପଡ଼ିବା ଫଳରେ ଦୁଇଜଣ ବ୍ୟକ୍ତି ଗାଡି ଭିତରେ ଫସି ରହିଥିଲେ । ଖବର ପାଇ ଘୁ ଉଦୟଗିରି ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀକୁ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ଗାଡ଼ିଟିକୁ ଲୋକମାନଙ୍କ ସହାୟତାରେ ଟେକିଥିଲେ ଓ ଫସି ରହିଥିବା ଦୁଇଜଣଙ୍କୁ ଉଦ୍ଧାର କରିବା ପରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ । ଡ୍ରାଇଭର ରାଜେଶ୍ ଠେଲା (୩୦)ଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ସେ ବଲାଙ୍ଗୀର ଜିଲ୍ଲା ଲୁଇସୀଙ୍ଗିଆ ଅଞ୍ଚଳର ବୋଲି ସୂଚନା ରହିଥିବା ବେଳେ ଅନ୍ୟ ଜଣେ ରାମ ଚନ୍ଦ୍ର ସିଂ (୩୨)ଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି,ସେ ବରଗଡ଼ ଜିଲ୍ଲା ବରପାଲି ଥାନା ମହଦା ଅଞ୍ଚଳର ବୋଲି ଜଣା ପଡ଼ିଛି । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେମାନଙ୍କୁ ଚିକିତ୍ସା କରାଯାଉଛି ବୋଲି ଡାକ୍ତର ଅଶୋକ କୁମାର୍ ପ୍ରଧାନ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର କିମ୍ବା ସମ୍ପର୍କୀୟ ଆସିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ରହିଛି । ରାମଚନ୍ଦ୍ର ସିଂଙ୍କ ସୂଚନା ମୁତାବକ ଟିକାବାଲି ଅଞ୍ଚଳରେ ଉକ୍ତ ଗାଡିର ବ୍ରେକ ସୋଲ ଓ ଅନ୍ୟାନ୍ୟ ମରାମତି କାମ କରିଥିଲେ । ସେଠାରୁ ବାହାରି ବ୍ରହ୍ମପୁର ଯାଉଥିଲେ କିନ୍ତୁ ଠିକ୍ ଘଟଣା ସ୍ଥଳରେ ବ୍ରେକ ନ ଧରିବା କାରଣରୁ ଏହିପରି ଦୁର୍ଘଟଣାର ଶିକାର ହୋଇଥିବା ପ୍ରକାଶ କରିଛନ୍ତି ।