ମହାନଗର ନିଗମର ଅବହେଳାରୁ ନବନିର୍ମିତ ପୋଲ ଉପରେ ବସୁଛି ପରିବା ବଜାର

0 72

ସମ୍ବଲପୁର: ସମ୍ବଲପୁର ମହାନଗର ଅନ୍ତର୍ଗତ ଗୋବିନ୍ଦତୋଲାରୁ ଧନୁପାଲି ରାସ୍ତା କଡରେ ଦୀର୍ଘ ବର୍ଷ ହେଲା ଛୋଟ ମୋଟ ପରିବା ବେପାରୀର ବଜାର ବସୁଥିଲା । ସେମାନଙ୍କ ଥଇଥାନ କରିବା ଉଦ୍ଦେଶ୍ୟରେ ଗୋବିନ୍ଦତୋଲା ଠାରେ ପାଞ୍ଚ ବର୍ଷ ପୂର୍ବେ ପ୍ରାୟ ୧୨.୫୩ ଲକ୍ଷ ଟଙ୍କା ବ୍ୟୟରେ ସମ୍ବଲପୁର ମହାନଗର ନିଗମ କର୍ତ୍ତୃପକ୍ଷ ନିର୍ମାଣ କରିଛି ବଜାର ପିଣ୍ଡି, ହେଲେ ସେଠାରେ ଏପର୍ଯ୍ୟନ୍ତ ବଜାର ବସିପାରିଲା ନାହିଁ । ଅନ୍ୟପଟେ ଦୁର୍ଭାଗ୍ୟର ବିଷୟ ଯେ ପ୍ରାୟ ୪କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟରେ ନିର୍ମିତ ହୋଇ ଜନସାଧାରଣଙ୍କ ଗମନାଗମନ ପାଇଁ ଲୋକାର୍ପିତ ହୋଇପାରିନଥିବା ଦ୍ୱିତୀୟ ହରଡ଼ ଜୋର ପୋଲ ଉପରେ ମହା ଆଡମ୍ବରରେ ଚାଲିଛି ପରିବା ବଜାର । ଆଶ୍ଚର୍ଯ୍ୟର କଥା ଯେ ସମ୍ବଲପୁର ମହାନଗର ନିଗମ ସେମାନଙ୍କ ଠାରୁ ନେଇଚାଲିଛି ମୋଟା ଅଙ୍କର ଟିକସ, ପରୋକ୍ଷରେ ସ୍ୱୀକୃତି ପ୍ରଦାନ କରିଛି, ଯଦିଓ ପରିବା ଓ ମାଛ ବଜାର ପାଇଁ ନିର୍ମିତ ପିଣ୍ଡି ଗୁଡିକ ଓ ପରିବା ବିକାଳୀଙ୍କର ପାଇଁ ନିର୍ମିତ ଶୌଚାଳୟ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି । ପରିତାପର ବିଷୟ ଯେ ଦୀର୍ଘ ପାଞ୍ଚ ବର୍ଷ ହେଲା ଅବ୍ୟବହୃତ ହୋଇ ପଡ଼ିରହିଛି ତଥାପି ସେଇ ସ୍ଥାନରେ ପୁଣି ଆହୁରି ଗୁଡ଼ାଏ ପିଣ୍ଡି ମହାନଗର ନିଗମ ପକ୍ଷରୁ ନିର୍ମାଣ କରାଯାଉଛି । ଭାଜପା ନେତା ତଥା ପୂର୍ବତନ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୂର୍ଯ୍ୟ ପାଣିଗ୍ରାହୀ ଏବିଷୟରେ ଉଦବେଗ ପ୍ରକାଶ କରିଛନ୍ତି । ଶ୍ରୀ ପାଣିଗ୍ରାହୀ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଆକ୍ଷେପ କରିଛନ୍ତି ଯେ ବଢ଼ିର ବନ୍ୟାଜଳ ନିୟନ୍ତ୍ରଣ କରିବା ପାଇଁ ନିର୍ମିତ ମାଟି ହିଡ଼କୁ ଅତିକ୍ରମଣ କରି କେଉଁ ପରି ଭାବରେ ଏହି ପିଣ୍ଡି ନିର୍ମାଣ କରାଯାଉଛି । ଆଗାମୀ ଦିନରେ ଏହା ନିଶ୍ଚିତ ଭାବରେ ସ୍ଥାନୀୟବାସୀଙ୍କୁ ଅସୁବିଧାରେ ପକାଇବ ବୋଲି ଶ୍ରୀ ପାଣିଗ୍ରାହୀ ସତର୍କ କରାଇଦେଇଛନ୍ତି ।
ହରଡ଼ ଜୋର ଦ୍ୱିତୀୟ ପୋଲକୁ ଯାତାୟତ ପାଇଁ ବ୍ୟବହାରରେ ନ ଆଣି ଆଉ କେତେଦିନ ପରିବା ହାଟ ଚଲେଇବ ଜିଲ୍ଲା ପ୍ରଶାସନ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଜିଲ୍ଲା ପ୍ରଶାସନ ତଥା ସମ୍ବଲପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଏହି ଅଜବ ନୀତି ଆଉ କେତେଦିନ ଚାଲିବ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।
ହରଡ଼ ଜୋରର ଦ୍ୱିତୀୟ ପୋଲକୁ ଯଥାଶୀଘ୍ର ଜନସାଧାରଣଙ୍କ ଯାତାୟତ ପାଇଁ ଲୋକାର୍ପିତ କରିବା ସହ ମହାନଗର ନିଗମ ଦ୍ୱାରା ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ବଜାରକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲା ପ୍ରଶାସନ ପାଖରେ ସେ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

two × 3 =