ଦଶପଲ୍ଲା : ପାହାଡରେ ପଥର ଖଣି । ବିସ୍ଫୋରଣ ଯୋଗୁଁ ପ୍ରଭାବିତ ହେଉଛି ଆଖପାଖ ଗ୍ରାମବାସୀଙ୍କ ଜୀବନ ଜୀବିକା । ଗତ ୨ ବର୍ଷ ହେଲା ଏହି ବିବାଦ ଲାଗି ରହିଥିବା ବେଳେ ଆଜି ପୁଣି ଖଣି ବନ୍ଦ ପାଇଁ ପାହାଡ ଘେରିଛନ୍ତି ଗ୍ରାମବାସୀ । ଦଶପଲ୍ଲା ତହସିଲ୍ ଅନ୍ତର୍ଗତ ପୋଇବାଡି ଗ୍ରାମ ପାଖରେ ଥିବା ମଳିକ ପାହାଡକୁ ନେଇ ଦିନକୁ ଦିନ ଏଭଳି ବିବାଦ ଘନେଇବାରେ ଲାଗିଛି । ଗୋଟିଏ ପାର୍ଶ୍ୱରେ ପାହାଡକୁ ପଙ୍କାଳସାହି, ପୋଇବାଡି ଏବଂ ନୂଆସାହି ଗ୍ରାମ ରହିଥିବା ବେଳେ ଗ୍ରାମ ମଧ୍ୟରେ ମନ୍ଦିର, ବିଦ୍ୟାଳୟ, ପୁଷ୍କରଣୀ ଏବଂ ଶହଶହ ଏକର ଚାଷ ଜମି ରହିଛି । ପାହାଡରେ ଖଣି ଚାଲିବା ଦ୍ୱାରା ଠିକାସଂସ୍ଥା ପକ୍ଷରୁ ବଡ଼ବଡ ରିଙ୍ଗ୍ ହୋଲ କରାଯାଇ ଭୟଙ୍କର ଭାବେ ବିସ୍ଫୋରଣ କରାଯାଉଛି । ଫଳତଃ , ଗ୍ରାମର ଘର ଓ ମନ୍ଦିରରେ ଫାଟ ସୃଷ୍ଟି ହେବାସହ ଗର୍ଭବତୀ ମହିଳା ଓ ଗୃହପାଳିତ ପଶୁଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ଗ୍ରାମବାସୀ ଅଭିଯୋଗ କରି ଆସୁଛନ୍ତି । ଖାଲି ସେତିକି ନୁହେଁ ବିସ୍ଫୋରଣ ଏତେ ମାତ୍ରାରେ ଭୟଙ୍କର ହେଉଛି ଯେ ବିସ୍ଫୋରଣର କିଛି ସମୟ ପର୍ଯ୍ୟନ୍ତ ଘରଦ୍ୱାର କମ୍ପି ଉଠିବା ସହ ଭୂମିକମ୍ପର ଭ୍ରମ ସୃଷ୍ଟି ହେଉଛି । ବିସ୍ଫୋରଣ ଯୋଗୁଁ ନିକଟସ୍ଥ ଚାଷଜମିରେ ପଥରଖଣ୍ଡ ପଡି, ଚାଷଜମି ଚାଷପାଇଁ ଅନୁପଯୁକ୍ତ ହୋଇଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯଦି ସରକାର ଏହାର ସ୍ଥାୟୀ ପ୍ରତିକାର ନ କରନ୍ତି ତେବେ ସଂଲଗ୍ନ ଗ୍ରାମବାସୀମାନେ ଦଶପଲ୍ଲା ତହସିଲ ଅଫିସ ଘେରାଓ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।