ଶ୍ରୀମନ୍ଦିରରେ ସ୍ମାର୍ଟଫୋନ୍‌ ମନା, ୧ରୁ ଲାଗୁ ହେବ କଟକଣା

0 96

ପୁରୀ : ଏଣିକି ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନ୍‌ ବ୍ୟବହାର ନିଷିଦ୍ଧ ହେବ । ଆସନ୍ତା ଜାନୁଆରୀ ୧ରୁ ଏହି କଟକଣା ଲାଗୁ କରାଯିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ଭିତର ଓ ପରିସର ଫଟୋ ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଆଜି ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । କେବଳ ଜରୁରୀ ନୀତି ନିର୍ଘଣ୍ଟ ସୂଚନା ଦେବା ପାଇଁ ଶ୍ରୀମନ୍ଦିର କମାଣ୍ଡର ସ୍ମାର୍ଟ ଫୋନ୍‌ ବ୍ୟବହାର କରି ପାରିବେ । ଅନ୍ୟାନ୍ୟ ଅଧିକୃତ ଶ୍ରୀମନ୍ଦିରର ଅଧିକାରୀ ଓ ସେବାୟତ ମାନେ ସାଧାରଣ କିପ୍ୟାଡ ଥିବା ମୋବାଇଲ ବ୍ୟବହାର କରି ପାରିବେ । ପୂର୍ବରୁ ଭକ୍ତ ମାନେ ଶ୍ରୀମନ୍ଦିରକୁ ମୋବାଇଲ ନେବା ଉପରେ ସମ୍ପୂର୍ଣ୍ଣ କଟକଣା ରହିଛି । କେବଳ ଅଧିକାରୀ ଓ ଅଧିକୃତ ସେବାୟତ ମାନେ ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନ ବ୍ୟବହାର କରୁଥିଲେ । ଆଜି ଛତିଶା ନିଯୋଗ ବୈଠକରେ ଏନେଇ ବିଚାର ବିମର୍ଶ କରାଯିବା ପରେ ଏଭଳି କଟକଣା ନେଇ ସହମତି ପ୍ରକାଶ ପାଇଛି । ଆସନ୍ତା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି କଟକଣାକୁ ଅନୁମୋଦନ କରାଯିବ । ସେହିପରି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଆଜି ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଆସନ୍ତା ୧୬ ତାରିଖରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତିରେ ରାତ୍ର ୨ଟାରୁ ଦ୍ୱାର ଫିଟା କରାଯାଇ ୬ଟା ସୁଦ୍ଧା ପହିଲି ଭୋଗ ନୀତି ସମ୍ପାଦନା ହେବ । ଏହାଛଡା ଆସନ୍ତା ଜାନୁଆରୀ ୬ରେ ମହାପ୍ରଭୁଙ୍କ ପୌଷ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବାକୁ ଥିବା ଦେବାଭିଷେକ ନୀତି ନୀର୍ଘଣ୍ଟ ମଧ୍ୟ ଅନୁମୋଦିତ ହୋଇଛି । ସେହିପରି ସେବାୟତଙ୍କ ଜମିଜମା ସଂପର୍କିତ ସମସ୍ୟା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ପରିଚାଳନା କମିଟି ସେବାୟତ ସଦସ୍ୟ, ଛତିଶା ନିଯୋଗର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eleven + 15 =