ନନ୍ଦାହାଣ୍ଡି : ଘର ପୋଡି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସହ ବାସହରା ହେଲେ ପରିବାର ବର୍ଗ । ଏହି ଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମେଣ୍ଟ୍ରୀ ସଦର ପଞ୍ଚାୟତରେ । ଆଜି ଦିନ ୧୨ ଘଣ୍ଟା ସମୟରେ କୌଣସି କାରଣବଶତଃ ଜୟରାମ ସାହୁଙ୍କ ଘର ହୁତୁ ହୁତୁ ହୋଇ ଜଳିବାର ଲୋକ ଦେଖି କାଳ ବିଳମ୍ବ ନକରି ବିଲରେ କାମ କରୁଥିବା ଜୟରାମକୁ ଖବର ଦେବା ସହ ସ୍ଥାନୀୟ ତେନ୍ତୁଳିଖୁଣ୍ଟି ବ୍ଲକ୍ରେ ଥିବା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ୩୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ପଡ଼ି ଯାଇଥିବା ଜୟରାମ ପ୍ରକାଶ କରିଛନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ବର୍ଷା ଦିନରେ ଚାଳ ଓଦା ଥିବା ସତ୍ତେ୍ୱ ସମ୍ପୂର୍ଣ୍ଣ ରୂପେ ଜଳି ଯାଇଛି । ସ୍ଥାନୀୟ ଲୋକ ଜିନିଷ ପତ୍ର ସୁରକ୍ଷିତ ବାହାର କରିବାକୁ ଚେଷ୍ଟା କରୁଥିଲେ କିନ୍ତୁ ରୋଷେଇ ଶାଳରେ ଗ୍ୟାସ ସିଲିଣ୍ଡର ଥିବା ହେତୁ ସମସ୍ତେ ଭୟଭୀତ ହୋଇ ଘଟଣା ସ୍ଥଳରୁ ଦୂରେଇ ଯାଇଥିଲେ । ଜୟରାମ ସାହୁ ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ତିନି ପିଲା । ଏହି ପରିବାର ସଦସ୍ୟଙ୍କ ପୋଷାକ କହିଲେ ଏବେ ଯାହା ପିନ୍ଧିଛନ୍ତି, ସେତିକି ହିଁ ଅଛି ଆଉ ଯାହା ଘରେ ଥିଲା ସବୁତକ ଜଳି ନଷ୍ଟ ହୋଇଯାଇଛି । ଅର୍ଦ୍ଧ ଦଗ୍ଧ ଧାନ ପାଣିରେ ଓଦା ହୋଇ ନଷ୍ଟ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଜୟରାମ ସାହୁଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇ ବର୍ଷ ତଳେ ଗୃହ ଯୋଗାଇ ଦିଆଯାଇଛି କିନ୍ତୁ ତାହା ବର୍ତ୍ତମାନ ସୁଦ୍ଧା ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେଲେ ପରିବାର ମୌଳିକ ଆବଶ୍ୟକତାରୁ ଆଶୁ ଆଶ୍ୱସ୍ତି ଲାଭ କରିଥାନ୍ତା ବୋଲି ପ୍ରଶାସନକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।