ଦକ୍ଷିଣମୋଡ଼ ହେଲା ଦର୍ପଦଳନ ଓ ତାଳଧ୍ୱଜ ରଥ, ଆସନ୍ତାକାଲି ନନ୍ଦିଘୋଷ ରଥର ଦକ୍ଷିଣ ମୋଡ

0 47

ପୁରୀ : ହେରାପଞ୍ଚମୀ ନିତି ସମ୍ପର୍ଣ୍ଣ ହେବା ପରେ ଆଜିଠାରୁ ବାହୁଡା ପ୍ରସ୍ତୁତି ଆରମ୍ଭ ହୋଇଛି । ସକାଳଧୁପ ପରେ ମହାପ୍ରଭୁଙ୍କ ଠାରୁ ତିନିରଥ ଲାଗି ଆଜ୍ଞାମାଳ ବିଜେ ହୋଇଥିଲା । ତାପରେ ଆରମ୍ଭ ହୋଇଥିଲା ତିନିରଥର ଦକ୍ଷିଣ ମୋଡ । ବିଧିପରମ୍ପରା ଆଧାରରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଦକ୍ଷିଣୀ ମୋଡ କରାଯାଇଥିଲା । ପରେ ବଡଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣୀ ମୋଡ କରାଯାଇଥିଲା । ମାତ୍ର ରାତି ହୋଇଯିବାରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଦକ୍ଷିଣୀ ମୋଡ ହୋଇ ପାରିନାହିଁ । ଆସନ୍ତା କାଲି ନନ୍ଦିଘୋଷ ରଥର ଦକ୍ଷିଣୀ ମୋଡ କରାଯିବ । ସେପଟେ ଆଜି ମଧ୍ୟ ମହାପ୍ରଭୁଙ୍କ ଆଡପ ଦର୍ଶନ ବେଶ୍‌ ଶୃଙ୍ଖଳିତ ଭାବେ ଚାଲୁରହିଛି । ଲମ୍ବା ଲାଇନ୍‌ରେ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ଗ୍ରହଣ କରୁଛନ୍ତି । ବାହୁଡା ନିତି ଶୃଙ୍ଖଳିତ କରିବା ଲାଗି ୧୪ ତାରିଖ ସନ୍ଧ୍ୟା ଦର୍ଶନ ସମୟ ସଂକୁଚିତ କରାଯାଇଛି । ସେହିଦିନ ସନ୍ଧ୍ୟା ୭ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସେପଟେ ହେରାପଞ୍ଚମୀ ନିତିରେ ବିଳମ୍ବ ଯୋଗୁଁ ଭକ୍ତ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ସେବାୟତ ମାନେ କିନ୍ତୁ ଏହାକୁ ହାଲକା ଭାବେ ଗ୍ରହଣ କରିଛନ୍ତି । ଦକ୍ଷିଣ ମୋଡ଼ ପାଇଁ ଅପରାହ୍ନରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଯାଇଥିଲା । ପରେ ତାଳଧ୍ୱଜ ରଥ ଟଣାଯାଇ ନାକଚଣା ଦୁଆରେ ଲାଗିଥିଲା । ଘଣ୍ଟ ନାଦ ମଧ୍ୟରେ ଆରକ୍ଷୀ ଓ ଶ୍ରଦ୍ଧାଳୁ ମାନେ ଦୁଇରଥକୁ ଟାଣି ନେଇଥିଲେ । ଏଥିପାଇଁ ସମଗ୍ର ଶରଧାବାଲି ଅଞ୍ଚଳ ଲୋକାରଣ୍ୟ ହୋଇଥିଲା । ସନ୍ଧ୍ୟା ହେବାରୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇନଥିଲା । ଶନିବାର ପୂର୍ବାହ୍ନରେ ନନ୍ଦିଘୋଷ ରଥ ଟଣା ଯାଇ ନାକଚଣା ଦୁଆରକୁ ନିଆଯିବ ।

hiranchal ad1
Leave A Reply

Your email address will not be published.

1 × 3 =