ଭୁବନେଶ୍ୱର: ବରଗଡ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ୩ଟି ନୂତନ ସେତୁ ଦ୍ୱାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ । ଏହାଦ୍ୱାରା ଜିଲ୍ଲାରେ ଗମନାଗମନର ସୁବିଧା ସହିତ ସାମାଜିକ ସୁବିଧା ସୁଯୋଗ ଓ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ଜୁନ୍ ମାସ ୨୬ ଓ ୨୭ ତାରିଖରେ ବରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ । ବିଭିନ୍ନ ସ୍ଥାନରେ ଲୋକଙ୍କ ଅନୁରୋଧକୁ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାରେ ୩ଟି ନୂତନ ବୃହତ ସେତୁର ନିର୍ମାଣ ପାଇଁ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ମଞ୍ଜୁର ହୋଇଥିବା ୩ଟି ସେତୁ ମଧ୍ୟରେ ବରପାଲିରେ ଗୋଟିଏ ବୃହତ ସେତୁ ରହିଛି । ବରପାଲିର ଜିଲୋଟ ନାଳ ଉପରେ ଏକ ସେତୁ ନିର୍ମାଣ କରାଯିବ । ୧୨୦ ମିଟର ଦୀର୍ଘ ଏହି ସେତୁ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ବରଗଡ ଓ ବରପାଲି ବ୍ଲକ ମୁଖ୍ୟାଳୟକୁ ସଂଯୋଗ କରିବା ସହିତ ଜିଲ୍ଲା ମୁଖ୍ୟାଳୟକୁ ମଧ୍ୟ ଯୋଗାଯୋଗର ସୁବିଧା ସୃଷ୍ଟି ହେବ । ଏହାଦ୍ୱାରା ପ୍ରାୟ ୨ ଲକ୍ଷ ୨୫ ହଜାର ଲୋକ ଉପକୃତ ହେବେ ।
ସେହିପରି ବରଗଡ ପୌରାଞ୍ଚଳ ଆଗାଁ ନଳା ଉପରେ ୬୦ ମିଟର ଦୀର୍ଘ ସେତୁ ନିର୍ମାଣ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ବରଗଡ ଜିଲ୍ଲା ମୁଖ୍ୟାଳୟ ସହିତ ପରପାଲି ଓ ଭେଡେନ ବ୍ଲକ ମୁଖ୍ୟାଳୟକୁ ଯୋଡିବ । ଏହାଦ୍ୱାର ୨ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ ।
ତୃତୀୟ ସେତୁଟି ସରଳା ନାଳ ଉପରେ ନିର୍ମାଣ କରାଯିବ । ୧୫୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଭଟଲି ବ୍ଲକ ମୁଖ୍ୟାଳୟକୁ ବରଗଡ ଓ ଅତାବିରା ବ୍ଲକ ମୁଖ୍ୟାଳୟକୁ ଯୋଡିବ । ଏହାଦ୍ୱାରା ୨ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ ।
Sign in
Sign in
Recover your password.
A password will be e-mailed to you.
Next Post