ମଣ୍ଡେଇ-୨୦୨୩ ପ୍ରସ୍ତୁତି ଚୂଡାନ୍ତ

0 239

ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲାର ଲୋକ ପର୍ବ ମଣ୍ଡେଇ ୨୦୨୩ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଜିଲ୍ଲାପାଳ ଡ଼ଃ. କମଳ ଲୋଚନ ମିଶ୍ର ଓ ଏସପି ରୋହିତ ବର୍ମା ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସୂଚନା ପ୍ରଦାନ କରିଛନ୍ତି । ଆସନ୍ତା ୧୦ରୁ ୧୪ ପର୍ଯ୍ୟନ୍ତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ମଣ୍ଡେଇ ଓ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ଦ୍ୱିତୀୟ ଦିବସରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ତୃତୀୟ ଦିବସରେ ଗ୍ରାମ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅତିଥିମାନେ ସ୍ଥାନୀୟ ଭଣ୍ଡାର ଘରଣୀ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ହିର୍ଲି ମଣ୍ଡେଇ ପଡିଆରେ ପହଞ୍ଚିବେ । ଏହି କାର୍ଯ୍ୟକ୍ରମରେ ପ୍ରବଳ ଜନ ସମାଗମ ହେବ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଟ୍ରାଫିକ ଓ ଶାନ୍ତି ଶୃଙ୍ଖଳା ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି ପାଇଁ ୧୨ ପ୍ଲାଟୁନ ପୋଲିସ ମୁତୟନ ହେବେ । ମଣ୍ଡେଇ ପଡିଆକୁ ପହଞ୍ଚିବା ପାଇଁ ସହରର ପ୍ରବେଶ ପଥକୁ ଅବରୋଧ କରାଯାଇ ସ୍ୱତନ୍ତ୍ର ରାସ୍ତାରେ ଦର୍ଶକ ଓ ଭିଆଇପି ମାନଙ୍କୁ ପଡିଆ ମଧ୍ୟକୁ ଛଡାଯିବ । ଏଥିପାଇଁ ଏକ ସ୍ୱତନ୍ତ୍ର ରୁଟ ଚାର୍ଟ ପ୍ରସ୍ତୁତ କରାଯାଇଛି । ପଡିଆରେ ଧୁଳି ଉଡିବାକୁ ବନ୍ଦ କରିବା ପାଇଁ ପଡିଆରେ ଗ୍ରୀନ ମେଟର ବ୍ୟବସ୍ଥା କରାଯାଇଛି । ସେହିଭଳି ରାସ୍ତାରେ ଧୁଳି ଉଡିବା ବନ୍ଦ ପାଇଁ ରାସ୍ତାରେ ପଣି ସିଞ୍ଚନ କରାଯିବ । ଚଳିତ ବର୍ଷ ମୋଟ ୩୬୦ଟି ଷ୍ଟୋଲର ବ୍ୟବସ୍ଥା କରାଯାଇଛି । ପଲ୍ଲୀଶ୍ରୀ ମେଳା ପାଇଁ ୧୨୫ ସଂଖ୍ୟକ ଷ୍ଟୋଲ , ସରକାରୀ ଷ୍ଟୋଲ ୩୦ଟି, ବେସରକାରୀ ୧୫୦ଟି, ହସ୍ତତନ୍ତ ୨୦ଟି, କୃଷି ଭିତିକ ନାବାର୍ଡ ୫ଟି , ଖାଦ୍ୟ ଷ୍ଟୋଲ ୨୨ଟି , ପ୍ରାଥମିକ ଚିକିତ୍ସା , ପୋଲିସ କୋଣ୍ଟ୍ରୋଲ ରୁମ ଓ ଅଗ୍ନିଶମ ପାଇଁ ଗୋଟିଏ ଲେଖାଏଁ ଷ୍ଟୋଲ ଏବଂ ଅନ୍ୟାନ୍ୟ ପାଇଁ ୪ ଗୋଟି ଷ୍ଟୋଲର ବ୍ୟବସ୍ଥା କରାଯାଇଛି । ପଡିଆରେ ସୁରକ୍ଷା ପାଇଁ ପୋଲିସ ତତ୍ତ୍ୱାବଧାନରେ ୨୪ ଘଣ୍ଟା କାର୍ଯ୍ୟ କରୁଥିବା ସିସି କ୍ୟାମରା ଲଗାଯିବ । ପୁରୁଷ ଓ ସ୍ତ୍ରୀ ମାନଙ୍କ ପାଇଁ ପାଣି ସୁବିଧା ସହ ଶୌଚଳୟର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଉଠା ଦୋକାନୀ ମାନଙ୍କ ପାଇଁ ନିଶୁଳ୍କରେ ମୀନା ବଜାର ନିକଟରେ ବସିବାର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ମାଗଣାରେ ଆଲୋକ ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ଟ୍ରାଫିକ ସମସ୍ୟା ପ୍ରତିହତ କରିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ କୌଣସି ବ୍ୟବସାୟୀଙ୍କୁ ଦୋକାନ କରିବାକୁ ଦିଆଯିବ ନାହିଁ । ଏହା ବ୍ୟତୀତ ମହିଳା ମହାବିଦ୍ୟାଳୟ ଠାରୁ ମଣ୍ଡେଇ ପଡିଆ ପର୍ଯ୍ୟନ୍ତ ରାସ୍ତା କଡରେ ଗାଡି ରଖିବାକୁ ମନା କରା ଯାଇଛି । ଗାଡି ରଖିଲେ ରିକୋଭରୀ ଭ୍ୟାନ ଦ୍ୱାରା ଗାଡି ହଟାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀକୁ ଡିଆଇପିଆରଓ ହଲଧର ନିଆଲ ପରିଚାଳନା କରିଥିବା ବେଳେ ଏଏସପି ପ୍ରଶାନ୍ତ ପଟ୍ଟନାୟକ, ଆଇଆଇସି ସମ୍ବିତ ବେହେରାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନେ ଓ ନବରଙ୍ଗପୁର ତହସିଲଦାର ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

ten − six =