କୁମ୍ଭକାରମାନଙ୍କ ୫ ଦିନିଆ କୁରାଳ ପଞ୍ଚମୀ ପର୍ବ ଆରମ୍ଭ

0 108

ପୁରୀ: ଶ୍ରୀକ୍ଷେତ୍ର ସମେତ ସମଗ୍ର ଓଡିଶାରେ କୁମ୍ଭକାରମାନଙ୍କ ପବିତ୍ର କୁରାଳପଞ୍ଚମୀ ପର୍ବ ଆଜିଠାରୁ ଆରମ୍ଭ ହୋଇଛି । ମାର୍ଗଶୀର ଶୁକ୍ଳ ପଞ୍ଚମୀ ତିଥିରୁ ଏହି ପର୍ବ ପାରମ୍ପରିକ ରୀତି ଅନୁସାରେ ୫ ଦିନ ପାଳିତ ହୋଇ ଆସନ୍ତା ୨୧ ତାରିଖରେ ଉଦ୍‌ଯାପିତ ହେବ । ସ୍ଥାନୀୟ କୁମ୍ଭାରପଡା, ଜେନାପୁର, ଟିକରପଡା, ନୂଆସାହି ଆଦି ଅଞ୍ଚଳରେ ବସବାସ କରୁଥିବା କୁମ୍ଭକାର ସଂପ୍ରଦାୟ ଏହି ପର୍ବକୁ ଆନନ୍ଦଉଲ୍ଲାସର ସହ ପାଳନ କରୁଛନ୍ତି । କୁମ୍ଭକାରମାନେ ସେମାନଙ୍କ ଚକ, ହାଣ୍ଡିଗଢା ସରଞ୍ଜାମ, ପିଣ୍ଡ, ପିଟଣାକୁ ପୂଜାରେ ବସାଇ ଇଷ୍ଟ ଦେବତା ରୁଦ୍ରପାଳ ଓ ରାତ୍ନେଶ୍ୱରୀଙ୍କୁ ପୂଜା ଆରାଧନା କରୁଛନ୍ତି । ଏହି ଅବସରରେ ବିଭିନ୍ନ ସାହି ବସ୍ତିରେ ଦଶଟି ପୂଜା ମଣ୍ଡପ ସ୍ଥାପନ କରାଯାଇଛି । ପୂଜାମଣ୍ଡପଗୁଡିକରେ ହୋମଯଜ୍ଞ ସହ ଉଜ୍ୱଳ ଆଲୋକମାଳାରେ ସଜ୍ଜିତ କରାଯାଇଛି । କୁମ୍ଭାର ଶାଳଘରେ ଚକପୂଜା ସହ ପରିବାରର ମୁଖ୍ୟ ସଂକଳ୍ପ କରିଛନ୍ତି । ୫ ଦିନ ଧରି ସେମାନେ ଏହି ପର୍ବକୁ ଧୁମ୍‌ଧାମ୍‌ରେ ପାଳନ କରିବା ସହ ହାଣ୍ଡିଗଢା ସମ୍ପୂର୍ଣ୍ଣ ବନ୍ଦ ରଖିଛନ୍ତି । ପରମ୍ପରା ଆଧାରରେ ଏହି ୫ ଦିନିଆ ପର୍ବରେ ଠାକୁରଙ୍କ ନିକଟରେ ୫ ପ୍ରକାରର ସଙ୍ଖୁଡି ଭୋଗ ଲାଗି କରାଯାଇଥାଏ । ଏହି ସମୟରେ କଂଚା ହାଣ୍ଡି କିମ୍ବା ଗଢା ମାଟିକୁ ସ୍ପର୍ଶ କରିବା ନିଷେଧ । ପର୍ବ ୫ ଦିନ କୁମ୍ଭକାରମାନେ ଶ୍ରୀମନ୍ଦିରକୁ ହାଣ୍ଡି ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରଖି ହବିଷ୍ୟାନ୍ନ ପାଳନ କରିଥାନ୍ତି । ୫ ଦିନ ଧରି ଅନୁଷ୍ଠିତ ଏହି ପର୍ବରେ ଫଚମୀରେ ସାଧାଅନ୍ନ, ଷଷ୍ଠୀରେ ପିଠାପଣା, ସପ୍ତମୀରେ ଦହିପଖାଳ, ଅଷ୍ଟମୀରେ ଖେଚୁଡି,ନବମୀରେ ଚକୁଳି ପିଠା ଭୋଗ କରାଯାଇ ରୁଦ୍ରପାଳ ଓ ରାତ୍ନେଶ୍ୱରୀଙ୍କୁ ବିସର୍ଜନ କରାଯାଇଥାଏ । ଭକ୍ତକବି ଦୀନକୃଷ୍ଣ ଦାସଙ୍କ ରଚିତ କୁରାଳ ପୁରାଣରେ ରୁଦ୍ରପାଳ ଓ ରାତ୍ନେଶ୍ୱରୀଙ୍କ ସୃଷ୍ଟି ସମ୍ପର୍କରେ ଉଲ୍ଲେଖ ରହିଛି । ଏହି ପୁରାଣର ବର୍ଣନା ଅନୁଯାୟୀ ସୃଷ୍ଟି ଆରମ୍ଭ ହେବା ପରେ ମାନବମାନଙ୍କ ପାକତଣ୍ଡୁଳ ପାଇଁ ଖାଦ୍ୟ ପ୍ରସ୍ତୁତି ନିମନ୍ତେ ଭଗବାନ ବିଷ୍ଣୁ କୁମ୍ଭକାରମାନଙ୍କୁ ସୃଷ୍ଟି କରିଥିଲେ । ପ୍ରଥମେ କୁମ୍ଭକାର ରୁପେ ବିଷ୍ଣୁପୁତ୍ର ରୁଦ୍ରପାଳ ସୃଷ୍ଟି ହେଲେ । ମୃତିକା ପାତ୍ର ନିର୍ମାଣ ପାଇଁ ଭଗବାନ ବିଷ୍ଣୁ ରୁଦ୍ରପାଳଙ୍କୁ ନିଜର ଆୟୁଧ ଶଙ୍ଖ,ଚକ୍ର,ଗଦା ଓ ପଦ୍ମ ସହିତ ଗୋଟିଏ ଖିଅ ପଇତା ପ୍ରଦାନ କରିଥିଲେ । ହିନ୍ଦୁ ସମାଜରେ ସମସ୍ତ ପୂଜାପାର୍ବଣରେ ମୃତ୍ତିକାରେ ନିର୍ମିତ କଳସ ଅଗ୍ରପୂଜା ହୋଇଥାଏ । ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ପାଇଁ ଏହି ମାଟିପାତ୍ରରେ ଅନ୍ନ ମହାପ୍ରସାଦ ପ୍ରସ୍ତୁତ କରାଯାଇଥାଏ ।
ପର୍ବପାଳନ ପରେ କୁମ୍ଭକାର ନିଯୋଗ ପକ୍ଷରୁ ଏକ ସାଧାରଣ ସଭା ଡକାଯାଇ ଜ୍ୟୋତିଷଙ୍କ ଦ୍ୱାରା ଶୁଭ ଅନୁକୂଳ ସମୟ ନିର୍ଦ୍ଧାରଣ କରାଯିବ । ନିର୍ଦ୍ଧାରିତ ସମୟମତେ ସମସ୍ତ କୁମ୍ଭକାର ଏକକାଳୀନ ଆସନ୍ତା ବର୍ଷ ନିମନ୍ତେ ମାଟି ଅନୁକୂଳ କରି ହାଣ୍ଡିଗଢା କାର୍ଯ୍ୟ ଆରମ୍ଭ କରିବାର ପରମ୍ପରା ରହିଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କୁମ୍ଭକାର ନିଯୋଗ ପକ୍ଷରୁ କୁମ୍ଭକାରମାନଙ୍କୁ ନବବସ୍ତ୍ର ବଣ୍ଟନ କରାଯାଇଛି ।କୁମ୍ଭ କାରମାନଙ୍କ ଏହି ପ୍ରସିଦ୍ଧ କୁରାଳ ପଂଚମୀ,ଓଢଣ ଷଷ୍ଠୀ ପର୍ବ ଉପଲକ୍ଷେ କୁମ୍ଭକାର ନିଯୋଗ ସଂପାଦକ ମହେନ୍ଦ୍ର ବିଶୋଇ ଏବଂ ଓଡିଶା କୁରାଳ ମହାସଂଘ ସଭାପତି ସରୋଜ କୁମାର ବେହେରା ସମସ୍ତ କୁମ୍ଭକାର ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

2 × 4 =