ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପୂର୍ବତନ ଷ୍ଟାର ଖେଳାଳି ଏବି ଡିଭିଲିୟର୍ସ ବିରାଟ କୋହଲିଙ୍କ ବିଷୟରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ବିରାଟ କୋହଲିଙ୍କୁ ସେ ପ୍ରଥମେ ପସନ୍ତ କରୁନଥିଲେ । ଆଇପିଏଲରେ ଆରସିବିରେ ତାଙ୍କୁ ଭେଟିବା ପରେ ହିଁ ତାଙ୍କ ସହ ବନ୍ଧୁତା ହୋଇଥିଲା। ବିରାଟ କୋହଲିଙ୍କ ଟେଷ୍ଟ ଅବସର ପରେ ଡିଭିଲିୟର୍ସ ଏହି ଖୁଲାସା କରିଥିଲେ। ମେ ୧୨ ତାରିଖରେ କୋହଲି ତାଙ୍କର ୧୪ ବର୍ଷର ଲମ୍ବା ଟେଷ୍ଟ କ୍ୟାରିୟରର ଅନ୍ତ ଘଟାଇଥିଲେ। ଡିଭିଲିୟର୍ସ କହିଥିଲେ ଯେ ସେ କୋହଲିଙ୍କୁ ତାଙ୍କର ପ୍ରତିଯୋଗିତାମୂଳକ ମନୋଭାବ ଯୋଗୁଁ ପସନ୍ଦ କରନ୍ତି ନାହିଁ କାରଣ ସେ ମଧ୍ୟ ସେହିପରି ଥିଲେ।
ଦକ୍ଷିଣ ଆଫ୍ରିକାର ଏହି ଖେଳାଳି ସ୍ୱୀକାର କରିଛନ୍ତି ଯେ କୋହଲି ଜଣେ କଠିନ ପ୍ରତିଦ୍ୱନ୍ଦ୍ୱୀ ଏବଂ ତାଙ୍କ ବିରୁଦ୍ଧରେ ଖେଳିବା ତାଙ୍କ ପାଇଁ କଷ୍ଟକର ଥିଲା କାରଣ ସେ ବହୁତ ତୀବ୍ରତାର ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ଏବି ଡିଭିଲିୟର୍ସ ଆଇସିସିକୁ କହିଥିଲେ ଯେ ବିରାଟ ମୋର କ୍ରିକେଟର ଭାଇ। ମୁଁ ତାଙ୍କୁ ଜାଣିବା ପରେ, ମୁଁ ଧୀରେ ଧୀରେ ତାଙ୍କୁ ବହୁତ ପସନ୍ଦ କରିବାକୁ ଲାଗିଲି। ତାଙ୍କ ବିପକ୍ଷରେ ଖେଳିବା ବହୁତ କଷ୍ଟକର। ତେଣୁ ଯେତେବେଳେ ମୁଁ ତାଙ୍କୁ ଜାଣି ନଥିଲି, ମୁଁ ତାଙ୍କୁ ପସନ୍ଦ କରୁ ନଥିଲି କାରଣ ସେ ବହୁତ ଭଲ ଏବଂ ପ୍ରତିଯୋଗିତାମୂଳକ ଥିଲେ। ସେ ଠିକ୍ ମୋ ପରି ଥିଲେ। ମୁଁ ମଧ୍ୟ ପଡ଼ିଆରେ ବହୁତ ପ୍ରତିଯୋଗିତାମୂଳକ ଥିଲି। ଆମେ ଜିତିବାକୁ ଭଲ ପାଉ ଏବଂ ଦଳ ପାଇଁ ଆମର ସର୍ବସ୍ୱ ଦେବାକୁ ଭଲ ପାଉ।

ସେ କହିଥିଲେ ଯେ ଯଦି କେହି ଆମକୁ ଚ୍ୟାଲେଞ୍ଜ କରନ୍ତି, ତେବେ ଆମର ଆକ୍ରମଣାତ୍ମକ ମନୋଭାବ ସାମ୍ନାକୁ ଆସେ। ତା’ପରେ ମୁଁ ବିରାଟ କୋହଲିଙ୍କୁ RCBରେ ଖେଳୁଥିବା ଜାଣିଲି। ଆମେ ପାରିବାରିକ ବନ୍ଧୁ ହୋଇଗଲୁ। ଆମେ ଭାଇ ଭଳି ହୋଇଗଲୁ। ଯେତେବେଳେ ଆମେ ଏକାଠି ଖେଳୁଥିଲୁ, ଆମେ ପରସ୍ପରକୁ ବହୁତ ଭଲ ଭାବରେ ବୁଝିପାରୁଥିଲୁ। ମୁଁ ତାଙ୍କ ସହିତ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରେ।
