ଖଡ଼ଗନଦୀରେ ଭାସିଯାଇଥିବା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

0 491

ବାଲିଗୁଡ଼ା: ତିନିଦିନ ପରେ ମିଳିଲା ନଦୀରେ ଭାସିଯାଇଥିବା ବ୍ୟକ୍ତିଙ୍କ ଗଳିତ ଶବ । ନଦୀରେ ଏକ ଶବ ଭାସୁଥିବା ଅଞ୍ଚଳବାସୀଙ୍କ ନିକଟରୁ ଖବରପାଇ ଲାଇନପାଲି ନିକଟରୁ ବାଲିଗୁଡ଼ା ପୋଲିସ୍‌ ଓ ଅଗ୍ନୀଶମ ବିଭାଗ ଉଦ୍ଧାର କରିଛି ଶବ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାନ୍ଦାପାଙ୍ଗା ନିକଟସ୍ଥ ଖଡ୍ଗ ନଦୀରେ ଗତ ତିନିଦିନ ତଳେ ନଦୀ ପାର ହେଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ଇନ୍ଦିରାଜା ଗ୍ରାମର ବେନ୍ଦୁ ମଲ୍ଲିକ (୪୮) । ନଦୀର ଗୋଟିଏ ଘାଟରୁ ଆରପଟ ଘାଟରୁ ଡଙ୍ଗା ଆଣିବାପାଇଁ ଭରାନଦୀ ପାର ହେବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ବେନ୍ଦୁ । ସ୍ଥାନୀୟ ଲୋକେ ଓ ସମ୍ପର୍କୀୟ ବହୁ ଖୋଜାଖୋଜି କରିବାସହ ଅଗ୍ନିଶମ କର୍ମଚାରୀ ମଧ୍ୟ ଖବରପାଇ ନଦୀରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ବେନ୍ଦୁଙ୍କ ପତ୍ତା ମିଳିନଥିଲା । ଆଜି ଲାଇନପାଲି ନିକଟରେ ନଦୀରେ ଏକ ଶବ ଭାସୁଥିବା ଲାଇନପାଲି ଅଞ୍ଚଳବାସୀଙ୍କ ନିକଟରୁ ଖବରପାଇ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ୍‌ ତାଙ୍କ ଟିମ୍‌ ସହ ଘଟଣାସ୍ଥଳରେ ପହଁଚି ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି । ଅନ୍ୟପଟେ ମୃତକଙ୍କ ଶବକୁ ପରିବାର ଲୋକେ ଚିହ୍ନଟ କରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବାଲିଗୁଡ଼ା ଏନ୍‌ଏସି ଅନ୍ତର୍ଭୁକ୍ତ କିଛି ଗାଁ ଏହି ଖଡ୍ଗ ନଦୀ ଆରପାରିରେ ରହିଛି । ବର୍ଷ ତମାମ ସମ୍ପୃକ୍ତ ଗ୍ରାମବାସୀ ଶିକ୍ଷା, ସ୍ୱାସ୍ଥ୍ୟ ସମେତ ଦୈନନ୍ଦିନ କାମରେ ବାଲିଗୁଡ଼ା ସହର ଉପରେ ନିର୍ଭର କରିଥାନ୍ତି । ବର୍ଷା ଦିନରେ ଅଞ୍ଚଳବାସୀ ଦେଶୀ ଡଙ୍ଗା ସାହାଯ୍ୟରେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରନ୍ତି । ଏହି ନଦୀ ଉପରେ ଏକ ପୋଲ ନିର୍ମାଣ କରିବା ପାଇଁ ଦୀର୍ଘ ବର୍ଷ ଧରି ଅଞ୍ଚଳବାସୀ ଦାବୀ କରିଆସୁଥିଲେ ମଧ୍ୟ ଏଯାବତ୍‌ ଏଥିପ୍ରତି କାହାର ନିଘା ନାହିଁ । ଫଳରେ ପ୍ରତିବର୍ଷ ଏମିତି ଅନେକ ଜୀବନ ହାନି ହେଉଥିବା ନଜିର ରହିଛି । ଏଣୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଲେ ସମସ୍ୟାର ସମାଧାନ ହେବାସହ ଅଞ୍ଚଳବାସୀ ଉପକୃତ ହୋଇପାରନ୍ତେ ।

hiranchal ad1
Leave A Reply

Your email address will not be published.

seventeen − 6 =