ସମସ୍ତ ହିତାଧିକାରୀଙ୍କ ଆବେଦନ ଯାଞ୍ଚ ସରିଲେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

0 48

ଭୁବନେଶ୍ୱର:ଏବେଠୁ ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ସୁଭଦ୍ରା ଯୋଜନାର ସହାୟତା ପାଇବା ନିମନ୍ତେ ବାୟୋମେଟ୍ରିକ ପ୍ରକ୍ରିୟାରେ ଇ-କେୱାସି କରିବାକୁ ପଡିବ । ଯେଉଁ ୫.୧୧ଲକ୍ଷ ହିତାଧିକାରୀମାନେ ସୁଭଦ୍ରା ଅଧୀନରେ ଇ-କେୱାସି କରିନାହାନ୍ତି କିମ୍ବା ଓଟିପି ମାଧ୍ୟମରେ ଇ-କେୱାସି କରିଛନ୍ତି, ସୁଭଦ୍ରା ସହାୟତା ପାଇବା ନିମନ୍ତେ ସେମାନଙ୍କୁ ମଧ୍ୟ ବାୟୋମେଟ୍ରିକ ପ୍ରକ୍ରିୟା ଇ-କେୱାସି କରିବାକୁ ପଡିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ପ୍ରସଙ୍ଗରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସମସ୍ତ ହିତାଧିକାରୀଙ୍କୁ ଆଶ୍ଵାସନା ଦେଇ କହିଛନ୍ତି ଯେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆବେଦନ ଯାଞ୍ଚ ସରିଲେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ସହାୟତା ଉପଲବ୍ଧ ହେବ । ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ର (ସିଏସସି/ଏମଏସକେ)ମାନଙ୍କରେ ବାୟୋମେଟ୍ରିକ ପ୍ରକ୍ରିୟାରେ ସୁଭଦ୍ରା ସହାୟତା ପାଇନଥିବା ହିତାଧିକାରୀମାନଙ୍କ ଇ-କେୱାସି କରାଯିବ ବୋଲି ସେ ସୁନିଶ୍ଚିତ କରିଛନ୍ତି । ଏହି କେନ୍ଦ୍ରମାନଙ୍କର କର୍ମଚାରୀ ସେମାନଙ୍କୁ ଟେଲିଫୋନ କରି ସେମାନଙ୍କୁ ବାୟୋମେଟ୍ରିକ ପଦ୍ଧତିରେ ଇ-କେୱାସି କରିବାକୁ ପରାମର୍ଶ ଦେବେ ବୋଲି ସେ ପ୍ରକାଶ କରିଛନ୍ତି । କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଏଯାବତ ୫୨ ଗୋଟି ଜନ ସେବା କେନ୍ଦ୍ରକୁ କଳା ତାଲିକାଭୁକ୍ତ କରାଯାଇଥିବା ବେଳେ ବେଆଇନ ଭାବେ ହିତାଧିକାରୀଙ୍କୁ ଠାରୁ ଟଙ୍କା ଦାବି କରିବା ଅଭିଯୋଗରେ ୧୪ ଗୋଟି ଜନ ସେବା କେନ୍ଦ୍ର ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଛି । ଅନେକ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବାହାରି ଯିବା ପାଇଁ ଦରଖାସ୍ତ ଦେଇଛନ୍ତି । କିନ୍ତୁ ଅନେକ ଆବେଦନକାରୀ ଭୁଲରେ ଏହି ଦରଖାସ୍ତ ଦେଇଛନ୍ତି ବୋଲି ଆମର ବହୁ ଅଭିଯୋଗ ହସ୍ତଗତ ହୋଇଛି ବୋଲି ଶ୍ରୀମତୀ ପରିଡା ଉଲ୍ଲେଖ କରିଛନ୍ତି। ତେଣୁ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟି ରେ ରଖି ଉକ୍ତ ସମସ୍ୟାକୁ ତର୍ଜମା କରି “ବାହାରି ଯିବାର”(opt-out) ବିକଳ୍ପ ବ୍ୟବସ୍ଥାକୁ ସୁଭଦ୍ରା ପୋର୍ଟାଲରେ ବନ୍ଦ କରାଯାଇଛି ଏବଂ ଅଭିଯୋଗକାରୀଙ୍କ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।
ଇ-କେୱାସି ହୋଇନଥିବା କିମ୍ବା ଓଟିପି ମାଧ୍ୟମରେ ଇ-କେୱାସି ହୋଇଥିବା ସମସ୍ତ ହିତାଧିକାରୀଙ୍କର ବିସ୍ତୃତ ତାଲିକା ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ଅଛି । ହିତାଧିକାରୀମାନେ ମଧ୍ୟ ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡ଼ିପିଓ)ଙ୍କ ଅଫିସ ରେ ଥିବା ହେଲ୍ପ ଡ଼େସ୍କ ମାଧ୍ୟମରେ ଏହି ତଥ୍ୟ ପାଇପାରିବେ।
ବାୟୋମେଟ୍ରିକ୍ ପ୍ରକ୍ରିୟାରେ ଇ-କେୱାସି କରାଇବା ନିମନ୍ତେ ସେମାନଙ୍କୁ ସ୍ୱୀକୃତି ରସିଦ (acknowledgement receipt) କିମ୍ବା ନିଜ ଆଧାର ନମ୍ବର ସାଙ୍ଗରେ ନେଇ ନିକଟତମ ସିଏସସି/ ଏମଏସକେ କେନ୍ଦ୍ରକୁ ଯିବାକୁ ପଡିବ । ବାୟୋମେଟ୍ରିକ ଇ-କେୱାସି ପ୍ରକ୍ରିୟା ସମ୍ପୂର୍ଣ୍ଣ ନିଶୁଳ୍କ ଅଟେ । ଏଥି ନିମନ୍ତେ ହିତାଧିକାରୀମାନଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଏହି କେନ୍ଦ୍ରର ଅଧିକାରୀ ହିତାଧିକାରୀମାନଙ୍କୁ ସ୍ପଷ୍ଟ କରିବେ କି ବାୟୋମେଟ୍ରିକ୍ ପ୍ରକ୍ରିୟାରେ ଇ-କେୱାସି ସମ୍ପୂର୍ଣ୍ଣ ହେବାପରେ ହିତାଧିକାରୀମାନେ ନିଜର ବ୍ୟାଙ୍କକୁ ଯାଇ ବ୍ୟାଙ୍କ ଖାତାକୁ ଆଧାର ସହ ସଂଯୋଗ ଏବଂ ଡ଼ିବିଟି ସହ ସଂଯୋଗ କରାଇବେ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

hiranchal ad1
Leave A Reply

Your email address will not be published.

3 + 1 =