ପିତୃମାତୃ ହୀନ ଶିଶୁଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ନିମନ୍ତେ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପ୍ରଶାସନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୁଣା ସହଯୋଗରେ ପାରଳାଖେମୁଣ୍ଡି ଜଳ ବିଭାଜିକା ସଭା ଗୃହଠାରେ ମାତୃପିତୃ ହୀନ ଶିଶୁଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ଓ ଥଇଥାନ ନିମନ୍ତେ ଶିଶୁ ଯତ୍ନ ଅନୁଷ୍ଠାନର ସଭାପତି ସମ୍ପାଦକ ଓ ପରିଚାଳକ ସଦସ୍ୟମାନଙ୍କୁ ନେଇ ଏକ ଦିବସିୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ସ୍ୱାଗତ କରିବା ସହ ଶିଶୁ ଯତ୍ନ ଅନୁଷ୍ଠାନକୁ ଆସୁଥିବା ପ୍ରତ୍ୟେକ ଶିଶୁ କିପରି ଗୋଟିଏ ପରିବାର ପାଇବେ ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ । ପ୍ରଶିକ୍ଷକ ଭାବେ କଟକରୁ ଆସିଥିବା ପ୍ରଶାନ୍ତ କୁମାର ପାଲାଟା ସିଂ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଶୁଟି କିପରି ପରିବାର ପାଇବ ସେଥିପାଇଁ ଥିବା ଯୋଜନା ତଥା ପୁଷ୍ଟପୋଷକତା, ପ୍ରତି ପାଳନ ଯତ୍ନ, ପୋଷ୍ୟ ସନ୍ତାନ ଏବଂ ପରବର୍ତ୍ତୀ ଯତ୍ନ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ କ’ଣ ଦାୟିତ୍ୱ ଏଥିପ୍ରତି ଅଛି,ତାହାରି ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଶିଶୁଟି ପରିବାରକୁ ଗଲାପରେ ପରିବାରର ସଦସ୍ୟମାନେ କିପରି ସରକାରଙ୍କର ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହେବେ ସେଥିପାଇଁ ଶିଶୁ ସୁରକ୍ଷା ଯୋଜନାର ସମସ୍ତ କର୍ମକର୍ତ୍ତା କିପରି ଯତ୍ନବାନ ହେବେ ତାହାରି ଉପରେ ଗୁରୁତ୍ୱାରୋପ କରିଥିଲେ । ଇ- ଶିକ୍ଷା ର ସଂଯୋଜକ ମାନସ ନାୟକ ଉପସ୍ଥିତ ରହି ଶିଶୁ ଯତ୍ନ ଅନୁଷ୍ଠାନକୁ ପ୍ରଦାନ କରାଯାଇଥିବା କମ୍ପ୍ୟୁଟର ଟାବଲେଟର ପରିଚାଳନା ଓ ରକ୍ଷଣାବେକ୍ଷଣ ଉପରେ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୁଣାର ଜିଲ୍ଲା ସଂଯୋଜିକା ସୁଶ୍ରୀ ସୁସ୍ମିତା ଭୋଇ ପରିଚାଳନା କରିଥିବା ବେଳେ ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।