ଚାଷୀଙ୍କ ଆଶା ଭାଙ୍ଗିଲା ଲୁଚକାଳି ବର୍ଷା ଓ ରୋଗ ପୋକ

0 80

ନୂଆପଡ଼ା : କପା ଏକ ଅର୍ଥକାରୀ ଫସଲ, ଏହାକୁ ଧଳା ସୁନା ମଧ୍ୟ କୁହାଯାଏ । ଠିକ୍‌ ଭାବରେ ଉତ୍ପାଦନ ହେଲେ ଏହା ଚାଷୀଙ୍କୁ ଲାଭ ଦେଇଥାଏ । କିନ୍ତୁ ବର୍ଷାର ଲୁଚକାଳି ଖେଳ ଓ ରୋଗ ପୋକ କପା ଚାଷୀଙ୍କ ଆଶା ଭାଙ୍ଗି ଦେଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଏବେ କପା ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କପା ବିକି ଦୁଇ ପଇସା ରୋଜଗାର କରିବାର ଇଚ୍ଛା ଇଚ୍ଛାରେ ରହି ଯାଉଛି । ଯେତେ ଉତ୍ପାଦନ ଆଶା କରିଥିଲେ ସେତେ ହେଉନାହିଁ । ଫଳରେ ଚାଷ ପାଇଁ କରିଥିବା ଧାର କରଜ କିପରି ସୁଝିବେ ସେଇ ଚିନ୍ତାରେ ସେମାନେ । ଏବର୍ଷ ଖଡ଼ିଆଳ ବ୍ଲକରେ ତିନି ହଜାର ଏକ ଶହ ହେକ୍ଟର ଜମିରେ କପା ଚାଷ ହୋଇଥିବା ବେଳେ ସିନାପାଲି ବ୍ଲକରେ ପନ୍ଦର ଶହ ହେକ୍ଟର କପା ଚାଷ କରାଯାଇଛି । ସେହିପରି ବୋଡେ଼ନ ବ୍ଲକରେ ଛଅ ହଜାର ସାତ ଶହ ହେକ୍ଟର ଜମିରେ କପା ଚାଷ କରାଯାଇଛି । ଚାଷୀଙ୍କ କହିବା ଅନୁସାରେ ପ୍ରଥମେ କମ୍‌ ବର୍ଷା ହେବାରୁ ମଞ୍ଜି ରୁ ଠିକ୍‌ ଭାବରେ ଗଛ ହେଲାନାହିଁ, ପରେ ବର୍ଷା ହୋଇ ଫୁଲ ଝଡ଼ିଗଲା । ପୁଣି ଗଛରେ ରୋଗ ଲାଗିବାରୁ ଔଷଧ ସିଞ୍ଚନ କରାଗଲା ତଥାପି ଠିକ୍‌ ଉତ୍ପାଦନ ହେଲାନାହିଁ । ପୂର୍ବବର୍ଷ ତୁଳନାରେ ଏବର୍ଷ କପା ଉତ୍ପାଦନ ଅଧା ହେଉଛି ବୋଲି ଚାଷୀ ମାନେ କହୁଛନ୍ତି । କେବଳ କପା ଉତ୍ପାଦନରେ କ୍ଷତି ସହୁନାହିଁ ଚାଷୀ ବିକ୍ରିରେ ମଧ୍ୟ କ୍ଷତି ସହୁଛି । ଠିକ୍‌ ସମୟରେ ମଣ୍ଡି ଖୋଲୁ ନଥିବାରୁ ଓ ଖୋଲିଲେ ମଧ୍ୟ ପରିବହନ ବ୍ୟବସ୍ଥା ନଥିବା ହେତୁ ଚାଷୀ ମାନେ କମ ଦାମରେ ବେପାରୀ ମାନଙ୍କୁ ବିକ୍ରି କରିଦେଉଛନ୍ତି । ମଣ୍ଡିରେ ବିକିଲେ ସାତ ହଜାର ଟଙ୍କା ପର୍ଯ୍ୟନ୍ତ ଏକ କ୍ୱିଣ୍ଟାଲ କପାରେ ଚାଷୀ ପାଆନ୍ତେ କିନ୍ତୁ ବେପାରୀ ମାନଙ୍କୁ ଚାରି ପାଞ୍ଚ ହଜାରରେ ବିକ୍ରି କରିଦେଉଥିବା ଅଭିଯୋଗ ହେଉଛି । ଏନେଇ ଖଡ଼ିଆଳ ବ୍ଲକ କୃଷି ଅଧିକାରୀ ସଞ୍ଜୟ ପାତ୍ରଙ୍କୁ ପଚାରିବାରୁ କପା ଉତ୍ପାଦନରେ ଆଂଶିକ ପ୍ରଭାବ ପଡ଼ିଥିବା କହିବା ସହ ମଣ୍ଡି ଖୋଲିବା ଓ ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ଏପର୍ଯ୍ୟନ୍ତ ଆଲୋଚନା କରାଯାଇ ନାହିଁ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

four × 1 =