ପାରଳାଖେମୁଣ୍ଡି : ଆସନ୍ତା ଜାନୁୟାରୀ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲା ସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହେବ । ଏଥି ନିମନ୍ତେ ପୂର୍ବ ନିଷ୍ପତ୍ତି କ୍ରମେ ସବୁ କାର୍ଯ୍ୟକ୍ରମ ନିମନ୍ତେ ବିଭିନ୍ନ କମିଟି ଗଠନ କରାଯିବ । ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ସମସ୍ତ କାର୍ଯ୍ୟକ୍ରମରେ ଏହି କମିଟି ଗୁଡିକ ଗଠନ ହୋଇଥିବା ବେଳେ ଇତି ମଧ୍ୟରେ କିଛି କମିଟି ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି । ଦୁଇ ଦିନ ପୂର୍ବେ ସ୍ମରଣୀକା ପ୍ରସ୍ତୁତ ନିମନ୍ତେ କମିଟିର ବୈଠକ ବସି ଆଲୋଚନା ହୋଇ ଥିଲା । ସ୍ଥାନୀୟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗଜପତି ଉତ୍ସବ ସାଂସ୍କୃତିକ କମିଟିର ବୈଠକ ଡିସିପିୟୁ ଅରୁଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଏଥିରେ କମିଟିର ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅର୍ଚ୍ଚନା ମଙ୍ଗରାଜ, ସଦସ୍ୟ ନୃସିଂହ ଚରଣ ପଟ୍ଟନାୟକ, ରଘୁନାଥ ପାତ୍ର, ସୁଧାଂଶୁ ପଟ୍ଟନାୟକ, ଆଦର୍ଶ ଦାସ, ଶ୍ରୀକାନ୍ତ ମହାରଣା ଓ କୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କମିଟି ପୂର୍ବ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ଏବଂ ରାଜ୍ୟ ବାହାରୁ ବିଭିନ୍ନ ଦଳକୁ ଚୟନ କରି ଗଜପତି ମହୋତ୍ସବ ପାଇଁ ଆମନ୍ତ୍ରଣ କରିବେ । ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ଜିଲ୍ଲାର ଶ୍ରେଷ୍ଠ ଦଳକୁ ଆଣିବା ନିମନ୍ତେ ଆଲୋଚନା ହୋଇଛି । ବ୍ଳକସ୍ତରୀୟ ମହୋତ୍ସବରେ ପ୍ରଦର୍ଶନ କରିବା ପାଇଁ ସୁଯୋଗ ଦିଆଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।