ରଙ୍ଗୀନ ମାଛ ଚାଷ ସ୍ୱାବଲମ୍ବୀ ହେଉଛନ୍ତି ଏସ୍‌ଏଚଜି ମହିଳା

0 58

ଖଡ଼ିଆଳ: ମିଶନ ଶକ୍ତି ଜରିଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ସରକାର ଯୋଗାଇ ଦେଉଛନ୍ତି । ଏହି କ୍ରମରେ ଖଡ଼ିଆଳ ବ୍ଲକ ତ୍ରୁକୁଲାଲା ଗ୍ରାମର ଏସଏଚଜି ମହିଳାମାନେ ଏବେ ରଙ୍ଗୀନ ମାଛ ଚାଷ ଆରମ୍ଭ କରି ଆର୍ଥିକ ସଶକ୍ତିକରଣ ହେବାକୁ ଆଶା ରଖିଛନ୍ତି । ଜୟ ମାଆ ଲକ୍ଷ୍ମୀ ଏସଏଚଜି, ଧନଲକ୍ଷ୍ମୀ ଏସଏଚଜି ଓ ଶ୍ରୀ ଗୁଣ୍ଡିଚା ଏସଏଚଜିର ୩୦ ଜଣ ମହିଳା ମିଶନ ଶକ୍ତି ଓଡ଼ିଶାରୁ ସହାୟତା ପାଇ ଏହି ଚାଷ ଆରମ୍ଭ କରିଛନ୍ତି । ଏହି ରଙ୍ଗୀନ ମାଛଚାଷ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀକୁ ବୁଝାଇବା ପରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଆଗ୍ରହୀ ହୋଇଥିଲେ । ସେମାନଙ୍କୁ ପ୍ରଥମେ ଖଡ଼ିଆଳରେ ତାଲିମ ପ୍ରଦାନ ପରେ ବରଗଡ଼ ଜିଲ୍ଲାର ଅମ୍ବାଭୋନାଠାରେ କରାଯାଇଥିବା ମାଛ ଚାଷ ପରିଦର୍ଶନ ପାଇଁ ନିଆଯାଇଥିଲା । ଏହାଦେଖି ସେମାନେ ଆଗ୍ରହୀ ହେବାରୁ ଓଡ଼ିଶା ଜୀବିକା ମିଶନ ତରଫରୁ ୩ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯାଇଥିବା ବେଳେ ବେଳେ ସେମାନେ ୫୦ ହଜାର ଟଙ୍କା ମିଶାଇ ସାଢେ ତିନି ଲକ୍ଷ ଟଙ୍କାରେ ଏହି ଚାଷ ଆରମ୍ଭ କରିଛନ୍ତି । ଏଥିରେ ରେଡକେପ କଲର ଟେରା, ଟାଇଗର ବାର୍କ, ରୋଜି ମାର୍କ, ମିକ୍ସ ମେଲି, ଟାଇଗର ସାର୍କ, ଏଲିଭିନା, ଟାଭିରି ସାର୍କ, କଲର ସ୍କେଲ ଭଳି ୮ ପ୍ରକାର ଜାତୀୟ ମାଛ ଚାଷ କରାଯାଇଛି । ଏହି ୮ ଜାତୀୟ ରଙ୍ଗୀନ ମାଛକୁ ଆଠ ଗୋଟି ପାଣି ଟାଙ୍କିରେ ଅତ୍ୟାଧୁନିକ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରାଯାଇଛି ଓ ଦୁଇଟି ବଡ଼ ମାଷ୍ଟର ଟାଙ୍କି କରାଯାଇଛି ଯେଉଁଠି ମାଛମାନେ ଅଣ୍ଡା ଦେଇ ଛୁଆ କଲା ପରେ ବଡ଼ ମାଛ ସବୁ ଦୁଇ ଟାଙ୍କିରେ ରହିବେ । ପ୍ରତି ଆଠ ଦିନରେ ପାଣି ବଦଳି କରାଯାଉଛି । ୨୪ ଘଣ୍ଟା ଅକ୍ସିଜେନ ଦେବାର
ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଇନଭଟର ମଧ୍ୟ ଲଗାଯାଇଛି । ସୂର୍ଯ୍ୟ କିରଣ କିମ୍ବା ବର୍ଷା ଜଳ ସିଧାସଳଖ ନ ପଡ଼ିବା ପାଇଁ ଛାଉଣୀ କରାଯାଇଛି । ସକାଳେ ଓ ସନ୍ଧ୍ୟାରେ ଦୁଇ ପ୍ରକାର ଖାଦ୍ୟ ଦିଆଯାଉଥିବା ବେଳେ ସମ୍ବଲପୁରରୁ ଖାଦ୍ୟ ପୁଡ଼ିଆ ମଗାଯାଉଥିବା ଜଣାପଡ଼ିଛି । ମାଛ ସହିତ ରଙ୍ଗୀନ ଶାମୁକା ଚାଷ ମଧ୍ୟ କରାଯାଇଛି । ଏସଏଚଜି ସଦସ୍ୟାମାନେ ପାଳି କରି ସବୁକାର୍ଯ୍ୟ କରୁଛନ୍ତି । ରଙ୍ଗୀନ ମାଛ ନୂଆପଡ଼ା ଜିଲ୍ଲାରେ ତ୍ରୁକୁଲା ଗ୍ରାମରେ ପ୍ରଥମ ଥର କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

4 × four =