ଗୋଷାଣି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ମନରେଗା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ପାରଳାଖେମୁଣ୍ଡି ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ୍. ବୀରରାଜୁ, ଜିଲ୍ଲାପରିଷଦ ସଭ୍ୟ ଏସ୍.ବାଲାରାଜୁ, ଗୋଷ୍ଠି ଉନ୍ନୟନ ଅଧିକାରୀ ନୀଳମାଧବ ମାଝୀ, ଡିଏସ୍ଏ ବାବୁଲା ବିଷୋୟୀ ପ୍ରମୁଖ ମଞ୍ଚାସୀନ ଥିଲେ । ମନରେଗା ଆର୍ଥିକ ବର୍ଷ ୨୦୨୨-୨୩ର ବିବରଣୀ ପାଠ କରିଥିଲେ ଯୋଶକେତନ ପ୍ରଧାନ । ଗୋଷାଣି ବ୍ଲକରେ କାର୍ଯ୍ୟରତ ଉଦ୍ୟାନ ବିଭାଗ, ବନ ବିଭାଗ ଓ ଜଳ ବିଭାଜିକା ବିଭାଗର ଅଧିକାରୀ ତଥା କର୍ମଚାରୀମାନେ ଯୋଗ ଦେଇ ନିଜ ନିଜ ବିଭାଗରେ ହୋଇଥିବା ମନରେଗା କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ । ହେଲେ ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ୍.ବୀରରାଜୁ କହିଥିଲେ । ଏହା ସହ ଏପରି କାର୍ଯ୍ୟକ୍ରମ ହେଉଥିବାକୁ ନେଇ ବ୍ୟାପକ ସଚେତନତା କରାଯାଇ ନଥିବାକୁ ନେଇ କ୍ଷୁବ୍ଧ ହୋଇଥିଲେ । ଏପରି କାର୍ଯ୍ୟକ୍ରମକୁ ନେଇ ବ୍ଲକର ସମସ୍ତ ଜନପ୍ରତିନିଧିଙ୍କୁ ସୂଚନା ମଧ୍ୟ ଦିଆଯାଇନାହିଁ । ଏତଦ୍ ବ୍ୟତୀତ ସମସ୍ତ ମନରେଗା କାର୍ଯ୍ୟ ଗୁଡିକୁ ଗ୍ରାମସଭା ଓ ପଲ୍ଲିସଭା ମାଧ୍ୟମରେ ଆଲୋଚନା ଓ ସ୍ଥିର କରାଯାଇ କାର୍ଯ୍ୟ କରିବାକୁ ବ୍ଲକ ଅଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ୟ ଓ ସମସ୍ତ ଜନପ୍ରତିନିଧିମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଡିଓ ଶ୍ରୀ ମାଝୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ବିନୋଦ ଗୌଡ, ପ୍ରମୁଖ ପରିଚାଳନା କରିଥିଲେ ।