ସ୍କୁଲ ଟଙ୍କା ହଡ଼ପ ଘଟଣା, ପୂର୍ବତନ ସଭାପତି ଓ ଆକାଉଣ୍ଟାଣ୍ଟ ଗିରଫ

0 366

ପାଟଣାଗଡ : ପାଟଣାଗଡ ସ୍ଥିତ ଏକ ଘରୋଇ ସ୍କୁଲର ପୂର୍ବତନ ସଭାପତିଙ୍କ ସମେତ ଆକାଉଣ୍ଟାଣ୍ଟ ମିଶି ୪୫ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ନେଇ ଆକାଉଣ୍ଟାଣ୍ଟଙ୍କ ଅଭିଯୋଗ କ୍ରମେ ଗତ ନଭେମ୍ବର ୧୯ ରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ସ୍କୁଲ ପରିଚାଳନା କମିଟିର ସଭାପତି ଓ ସଂପାଦକଙ୍କ ହସ୍ତକ୍ଷେପ ପରେ ସ୍କୁଲର ପ୍ରିନ୍ସପାଲ ନାରାୟଣ ପ୍ରସାଦ ପଟ୍ଟନାୟକ ପୁଣି ଗୁରୁବାର ପୂର୍ବତନ ସଭାପତି ଓ ଆକାଉଣ୍ଟାଣ୍ଟଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତଦନ୍ତ ପରେ ପୁଲିସ କେଶ ନଂ ୨୫୬/୨୨ ଧାରା ୪୦୯ ଦଫାରେ ମାମଲା ରୁଜୁ କରି ପୂର୍ବତନ ସଭାପତି ଓ ଆକାଉଣ୍ଟାଣ୍ଟ ମିଶି ୪୫ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଜାଣିବାକୁ ପାଇଥିଲା । ଏହାପରେ ପୁଲିସ ପୂର୍ବତନ ସଭାପତି ମନୋଜ କୁମାର ନନ୍ଦ ଓ ଆକାଉଣ୍ଟାଣ୍ଟ ମାନଭଞ୍ଜନ ଠାକୁରଙ୍କୁ ଗିରଫ କରି କୋର୍ଟ ଚାଲଣା କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି । ପ୍ରକାଶ ଯେ ୨୦୧୯ ମସିହାରେ ମନୋଜ କୁମାର ନନ୍ଦ ଉକ୍ତ ସ୍କୁଲର ସଭାପତି ରହିଥିଲେ । ସେହି ଦିନଠାରୁ ସ୍କୁଲର ପ୍ରାୟତଃ ସମସ୍ତ ଟଙ୍କା ତାଙ୍କଠାରେ ଜମା ହୋଇ ଆସୁଥିଲା । ଏପରିକି ଶ୍ରୀ ନନ୍ଦଙ୍କ ଜମାଖାତାକୁ ୟୁପିଆଇ ମାଧ୍ୟମରେ ମଧ୍ୟ ଟଙ୍କା ଜମା ହୋଇଛି । ସେହିପରି ଭାବରେ ଆକାଉଣ୍ଟାଣ୍ଟ ଶ୍ରୀ ଠାକୁରଙ୍କ ପାଖରେ ମଧ୍ୟ ସ୍କୁଲ ଟଙ୍କା ଜମା ହୋଇ ଆସୁଥିଲା । ଉଭୟେ ମିଶି ୪୫ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ନେଇ ନୂତନ ଭାବାରେ ଗଠନ ହୋଇଥିବା ସ୍କୁଲ ପରିଚାଳନା କମିଟିଙ୍କ ହସ୍ତକ୍ଷେପ ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା ।

hiranchal ad1
Leave A Reply

Your email address will not be published.

9 − one =