ମହାପ୍ରଭୁଙ୍କ ପାଖରେ ବିଭିନ୍ନ ନାମରେ ପ୍ରସାଦ ରୂପେ ଲାଗି ହୁଏ ପଖାଳ

0 47

ପୁରୀ : ଓଡିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ତେବେ ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଖାଦ୍ୟ ହେଉଛି ପଖାଳ । ଅନେକ ପ୍ରକାରର ପଖାଳ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ ।
କୋଟି ଓଡିଆଙ୍କ ମଉଡମଣି ତଥା ଜଗତରନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲାଗି ହେଉଥିବା ଏହି ପଖାଳର ଅନେକ ନାଁ ରହିଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପରେ ସ୍ୱତନ୍ତ୍ର ପଖାଳ ଭୋଗ ନୀତି ହୋଇଥାଏ । ତେବେ ମହାପ୍ରଭୁଙ୍କର ବିଭିନ୍ନ ପଖାଳ ଭିତରୁ ଅନ୍ୟତମ ପଖାଳ ହେଉଚି ସୁବାସ ପଖାଳ । ପ୍ରଥମେ କୁଡୁଆରେ ଅନ୍ନ ରନ୍ଧା ହୋଇ ସାରିବା ପରେ ସେଥିରେ ପାଣି ମିଶିଥାଏ । ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ଲାଗି କରାଯାଏ । ଏହି ଅନ୍ନର ବାସ୍ନା ବେଶ୍‌ ସୁଗନ୍ଧିତ ହୋଇଥିବାରୁ ଏହାକୁ ସୁବାସ ପଖାଳ ବୋଲି କୁହାଯାଏ । ସେହିପରି ଚୁପୁଡା ପଖାଳ ମଧ୍ୟ ଲାଗି ହୋଇଥାଏ । ରନ୍ଧା ହୋଇଥିବା ଅନ୍ନକୁ ପ୍ରଥମେ ଭଲ ଭାବେ ଚିପୁଡି ଦିଆଯାଏ । ଏଥିରେ ଭଜା ଜିରା, ଲୁଣ ଓ ଦହି ମିଶାଇ ପ୍ରସାଦ ଭାବେ ମାଟି ପାତ୍ରରେ ମହାପ୍ରଭୂଙ୍କୁ ଲାଗି କରାଯାଏ । ଅନ୍ନକୁ ଚିପୁଡା ଯାଇ ଥିବାରୁ ଏହାକୁ ଚୁପୁଡା ପଖାଳ କୁହାଯାଏ । ସେହିପରି ପାଣି ପଖାଳ ପାଇଁ ରନ୍ଧା ହୋଇଥିବା ଅନ୍ନରେ କେବଳ ପାଣି ଓ ଲୁଣ ମିଶାଇ ଏହି ପଖାଳ ପ୍ରସ୍ତୁତ ହୁଏ । ଏଥିରେ ଅନ୍ୟ କୌଣସି ପ୍ରକାରର ଦ୍ରବ୍ୟ ମିଶ୍ରଣ କରାଯାଇ ନଥାଏ ।
ମହାପ୍ରଭୁ ଙ୍କ ପ୍ରିୟ ହେଉଚି ଦହି ପଖାଳ । ଶୁଖିଲା ଅନ୍ନରେ କେବଳ ଦହି ପକାଇ ଦିଆଯାଏ । ଏଥିରେ ଦହିର ମାତ୍ରା ଅଧିକ ଥାଏ । ଅନ୍ନରେ ଭଜା ଜିରା ଓ ଅଦା ପକାଇ ପ୍ରସ୍ତୁତ କରାଯାଇଥାଏ ଦହି ପଖାଳ । ଆଉ ଏକ ପଖାଳ ହେଇଚି ମିଠା ପଖାଳ । ସାଧା ଅନ୍ନରେ ଚିନି ଅବା ଗୁଡ ପକାଇ ରନ୍ଧାଯାଇଥାଏ ମିଠା ପଖାଳ । ଏଥିରେ ଭଜା ଜିରା, ଲୁଣ ଓ ଅଦାଖଣ୍ଡ ପକାଇ ପ୍ରସ୍ତୁତ କରାଯାଏ ।
ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଥାଏ ମଲ୍ଲିଫୁଲ ପଖାଳ ।ଏହି ପଖାଳ ଦହି ପଖାଳ ଭଳି ପ୍ରସ୍ତୁତ ହୋଇଥିବା ବେଳେ ସୁବାସିତ କରିବାକୁ ମଲ୍ଲିଫୁଲ ଦେଇ ପରସାଯାଏ । ଠାକୁର୍‌ଙ୍କ ପାଇଁ ଟଭା ପଖାଳ ମଧ୍ୟ ଲାଗି ହୋଇଥାଏ । ଅନ୍ନରେ ଟଭା ମିଶ୍ରିତ ଜଳ ଦେଇ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହୁଏ । ତେବେ ପଖାଳ କେବଳ ଲୋକଙ୍କ ଭିତରେ ସୀମିତନ ଥାଏ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ପାଇଁ ମଧା ବିଭିନ୍ନ ନାମର ପଖାଳ ପ୍ରସାଦ ଭାବେ ଲାଗି ହୋଇଥାଏ ।

hiranchal ad1
Leave A Reply

Your email address will not be published.

16 + two =