ଦାରିଙ୍ଗବାଡିର ସୁପର ମା’,ପୁଅ ଠାରୁ ଅଧିକ ନମ୍ବର ରଖି ମାଟ୍ରିକ ପାସ୍‌ କଲେ

0 400

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ ଦେଖିବାକୁ ମିଳିଛି ଭିନ୍ନ ଏକ ଘଟଣା । ଦାରିଙ୍ଗବାଡ଼ିର ସୁପର ମା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଦାରିଙ୍ଗବାଡ଼ି ଲୋହରା ସାହିର ମା ପୁଅ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି । ହେଲେ ୪୭ ବର୍ଷୀୟ ମା ସୁଜାତା ନାୟକ ୧୬ ବର୍ଷର ନିଜ ପୁଅ ଆୟୁଷ ନାୟକଙ୍କୁ ପଛରେ ପକାଇ ଦେଇଛନ୍ତି । ଘଟଣାକୁ ନେଇ ସାରା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଥିବା ବେଳେ ପରିବାର ବର୍ଗଙ୍କୁ ଅଞ୍ଚଳବାସିଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟୁଛି । ସୂଚନା ପ୍ରକାରେ ଲୋହରା ସାହିର ବିକ୍ରମ ନାୟକଙ୍କ ସ୍ତ୍ରୀ ସୁଜତା ନାୟକ ବାହାଘର ପୂର୍ବରୁ ମାଟ୍ରିକ ଫେଲ୍‌ ହୋଇଥିଲେ । ପାଠ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ପରିବାର ଜଞ୍ଜାଳ ଓ ଅର୍ଥାଭାବରୁ ଆଗକୁ ବଢିପାରିନଥିଲେ । କିନ୍ତୁ ପରିବାରର ସହଯୋଗ ଯୋଗୁଁ ପୁଣିଥରେ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନାମ ଲେଖାଇଥିଲେ । ସୁଜାତା ଦାରିଙ୍ଗବାଡି ଲାଲବାହାଦୁର ବିଦ୍ୟାପୀଠରେ ଅଧ୍ୟୟନ କରୁଥିଲା ବେଳେ ପୁଅ ଆୟୁଷ ନାୟକ ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ଚଳିତ ବର୍ଷ ଉଭୟେ ମା,ପୁଅ ମାଟ୍ରିକ ପରୀକ୍ଷା ଦେଇଥିଲେ । ମା ସୁଜାତା ନାୟକ ୬୦୦ ମାର୍କ ରୁ ୩୪୬ ମାର୍କ ରଖି ବି୨ ଗ୍ରେଡ୍‌ ରେ ପାସ୍‌ ହୋଇଥିବା ବେଳେ ପୁଅ ଆୟୁଷ ନାୟକ ୬୦୦ ମାର୍କ ରୁ ୨୫୮ ମାର୍କ ରଖି ଡି ଗ୍ରେଡ୍‌ ରେ ପାସ୍‌ ହୋଇଥିବା ଜଣାପଡ଼ିଛି । ଦୀର୍ଘ ବର୍ଷ ପରେ ପୁଣି ପାଠ ପଢି ଭଲ ନମ୍ବର ରଖି ପାସ୍‌ ହୋଇଛନ୍ତି ସୁଜାତା । ଏହା ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ । ଅନ୍ୟପଟେ ଯଦି ସରକାରୀ ସହାୟତା ମିଳେ ତେବେ ସୁଜାତାଙ୍କ ସମେତ ତାଙ୍କ ପୁଅ ମଧ୍ୟ ଉଚ୍ଚ ଶିକ୍ଷିତ ହୋଇପାରନ୍ତେ ବୋଲି କହିଛନ୍ତି ସୁଜାତା ।

hiranchal ad1
Leave A Reply

Your email address will not be published.

1 × four =