ପୁରୀ : ଓଡିଶାର ଜଗରନଟ୍ସ ଖୋ ଖୋ ଦଳ ଚଳିତ ବର୍ଷ ଅଗଷ୍ଟରେ ପୁନେରେ ଅନୁଷ୍ଠିତ ପ୍ରତିଯୋଗିତାରେ ଚମ୍ପିୟାନ ହୋଇଥିଲା । ତେଣୁ ଖୋ ଖୋ ଖେଳକୁ ରାଜ୍ୟ ରେ ଅଧିକ ଲୋକ ପ୍ରିୟ କରିବା ଲକ୍ଷ୍ୟରେ ପୁରୀ ଠାରେ ୫୫ ତମ ସିନିୟର ବର୍ଗର ଖୋ ଖୋ ଚମ୍ପିୟାନସିପ ଚଳିତ ମାସ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ହାଇସ୍କୁଲ ପରିସରରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ । ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଏହି ଉପଲକ୍ଷେ ଅନୁଷ୍ଠିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ବୈଠକରେ ସୂଚନା ଦେଇ ଶ୍ରୀ ସାହୁ ଏହି ଚମ୍ପିୟାନସିପକୁ ଭବ୍ୟ,ସୁନ୍ଦର ଓ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରତିଯୋଗୀ ମାନେ ବିଭିନ୍ନ ଜିଲ୍ଲା ରୁ ଆସୁଥିବାରୁ ସେମାନଙ୍କୁ ଓ ଅଧିକାରୀ, ସହଯୋଗୀ ମାନଙ୍କ ରହଣୀ ବ୍ୟବସ୍ଥା ବୃନ୍ଦାବତୀ ନିବାସରେ କରାଯିବ ବୋଲି ସେ କହିଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର ରାଜ୍ୟର କ୍ରୀଡା ଭିତ୍ତିଭୂମୀର ବିକାଶ ସହ ଖେଳାଳୀ ମାନଙ୍କୁ ସହଯୋଗ ଓ ନିଯୁକ୍ତି ସୁଯୋଗ ମଧ୍ୟ ମିଳୁଛି । ତେଣୁ କ୍ରୀଡା ପ୍ରତି ପିଲାମାନେ ଆକୃଷ୍ଟ ହେବାକୁ ମତ ଦେଇଥିଲେ । ପୁରୀ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଜିଲ୍ଲାରେ କ୍ରୀଡାକୁ ଆଗକୁ ନେବାକୁ ପଦକ୍ଷେପ ନିଆଯିବା ସହ ଏକାଧିକ ପ୍ରତିଯୋଗୀତା ଆୟୋଜନ କରାଯାଇ ଶ୍ରେଷ୍ଠ କ୍ରିଡାବିତ ସୃଷ୍ଟି ଲକ୍ଷ୍ୟ ରହିଛି ବୋଲି କହିଥିଲେ । ଖୋ ଖୋ ସଂଘର ରାଜ୍ୟ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ବିସ୍ତୃତ ସୂଚନା ଦେଇ ଖୋ ଖୋ ଖେଳ ଆୟୋଜନର ରୂପରେଖ ସମ୍ପର୍କରେ ମତ ଦେଇଥିଲେ । ଏହି ପ୍ରତିଯୋଗିତା ଜିଲ୍ଲା ହାଇସ୍କୁଲ ଠାରେ ନଭେମ୍ବର ୧୩ ତାରିଖ ଅପରାହ୍ନ ୫.୩୦ ମିନିଟ ସମୟରେ ଉଦଘାଟିତ ହେବ ଓ ୧୫ ତାରିଖ ସଂଧ୍ୟା ୭ ଘଟିକାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲା ସହ,କିଟ ବିଶ୍ୱବିଦ୍ୟାଳୟ ଓ ପୁରୀ ଖୋ ଖୋ ସ୍ପୋର୍ଟ୍ସ ହଷ୍ଟେଲ ଅଂଶଗ୍ରହଣ କରିବେ । ଉଭୟ ପୁରୁଷ ଓ ମହିଳା ଦଳ ଏଥିରେ ପ୍ରତିନିଧିତ୍ୱ କରିବେ । ଜିଲ୍ଲା ହାଇସ୍କୁଲ ର ତିନୋଟି କୋର୍ଟରେ ମ୍ୟାଟ୍ ମାଧ୍ୟମରେ ଏହି ଖେଳ ହେବ । ଏହି ପ୍ରତିଯୋଗିତାରୁ ମିଳୁଥିବା ଶ୍ରେଷ୍ଠ ଖେଳାଳୀଙ୍କ ଦଳ ଚଳିତ ମାସ ୨୦-୨୪ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ର ଠାରେ ଅନୁଷ୍ଠିତ ହେବାକୁ ଥିବା ୫୫ ତମ ଜାତୀୟ ଖୋ ଖୋ ଚମ୍ପିୟାନସିପରେ ଅଂଶଗ୍ରହଣ କରିବେ । ଉଭୟ ପୁରୁଷ ଓ ମହିଳା ଚମ୍ପିୟାନ ଦଳକୁ ୧୦ ହଜାର ଟଙ୍କା, ରନର୍ସ ଅପ ଦଳକୁ ୭ ହଜାର ଟଙ୍କା, ୩ୟ ଓ ୪ର୍ଥ ଦଳକୁ ୫ ହଜାର ଟଙ୍କା ଲେଖାଏଁ ଓ ୩ ଜଣ ଶ୍ରେଷ୍ଠ ଖେଳାଳୀ ଙ୍କୁ ୨ ହଜାର ଟଙ୍କା ଲେଖାଏଁ ପୁରସ୍କାର ଓ ଟ୍ରଫି ଦିଆଯିବ ବୋଲି ସେ କହିଥିଲେ । ଏହି ଅବସରରେ ଚମ୍ପିୟାନସିପର ଜର୍ସିକୁ ଉନ୍ମୋଚନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏଥିରେ ଖୋ ଖୋ ସଂଘର କୋଷାଧ୍ୟକ୍ଷ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର, ପୁରୀ ପୌରପାଳିକାର ପରାମର୍ଶଦାତା ଜ୍ୟୋତି ପ୍ରକାଶ ଦାସ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।