ବୌଦ୍ଧ,୧୯/୫- ସରକାର ଅସହାୟ ଗରିବ ଲୋକଙ୍କ ପାଇଁ ମାଳ ମାଳ ଯୋଜନା କରିଥିବାର ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ କ୍ଷେତ୍ରରେ ତାହା କିଭଳି ରୂପlୟନ ହେଉଛି ତାର ଚିତ୍ର ଦେଖିବାକୁ ମିଳୁଛି ବୌଦ୍ଧ ବ୍ଲକ୍ ଟିକରପଡା ଗ୍ରାମ ପଞ୍ଚାୟତର କତମସିଂ ଗ୍ରାମରେ l ମାତ୍ର 21 ବର୍ଷ ବୟସରେ ସ୍ୱାମୀଙ୍କୁ ହରାଇ ବିଧବା ହୋଇଥିବା ରଇବାରୀ ରଣବିଡା 2 ବର୍ଷର ଶିଶୁପୁତ୍ରକୁ ଧରି କିଭଳି ସରକାରୀ ଯୋଜନାର ହିତାଧିକାରୀ ହେବାକୁ ସଂଘର୍ଷ କରୁଛନ୍ତି ତାର ନଗ୍ନଚିତ୍ର ନ ଦେଖିଲେ ବିଶ୍ବାସ କରିହେବ ନାହିଁ | ବୌଦ୍ଧ ବ୍ଲକ୍ ବହିରl ଗ୍ରାମରେ ନାରାୟଣ ରାଜହଂସଙ୍କୁ ବିବାହ କରିଥିବା ରଇବାରୀ ସ୍ବାମୀଙ୍କ ମୃତ୍ୟୁ ପରେ ଆସି ଟିକରପଡା ଗ୍ରାମ ପଞ୍ଚାୟତ କତମସିଂରେ ନିଜ ଶିଶୁ ପୁତ୍ର ସହ ରହି ମୁଲଦୁଃଖ କରି ରହୁଛନ୍ତି l ତାଙ୍କୁ ଆଜିଯାଏଁ ପରିବାର ମଙ୍ଗଳ ଯୋଜନାର ଟଙ୍କା, ବିଧବା ଭତ୍ତା କିମ୍ବା ରେସନ୍ କାର୍ଡ କିଛି ବି ମିଳିନାହିଁ l ଗ୍ରାମ ପଞ୍ଚାୟତର ସରପଞ୍ଚ, ନିର୍ବାହୀ ଅଧିକାରୀ ଓ ବୌଦ୍ଧ ବ୍ଲକ୍ ବିଡ଼ିଓଙ୍କ ନିକଟରେ ବାରମ୍ବାର ଆବେଦନ କରୁଥିଲେ ମଧ୍ୟ ସେ ଏ ସବୁ ଯୋଜନାରେ ହିତାଧିକାରୀ ହୋଇପାରିନାହାନ୍ତି l ଦୁଇ ବର୍ଷ ଧରି ଏ ଅଫିସରୁ ସେ ଅଫିସ ଧାଇଁ ବାରମ୍ବାର ଆବେଦନ କରିବା ପରେ ବର୍ତ୍ତମାନ ଭାଗ୍ୟକୁ ଆଦରି ପଡି ରହିଥିବା କହିଛନ୍ତି l ସରକାରଙ୍କ ଯୋଜନା ତାଙ୍କ ପାଇଁ ସାତ ସପନ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ | ତାଙ୍କ ଭଳି ଅସହାୟ ବିଧବା ହରିଜନ ମହିଳା ହିତାଧିକାରୀ ହୋଇନପାରିଲେ ଏ ଯୋଜନା କାହା ପାଇଁ ବୋଲି ସେ ଲୁହ ଛଳ ଛଳ ଆଖିରେ ପ୍ରକାଶ କରନ୍ତି | ଏ ସମ୍ପର୍କରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସେ ଆକୁଳ ନିବେଦନ କରିଛନ୍ତି l ଦେଖାଯାଉ କେବେ ତାଙ୍କୁ ସରକାର ଓ ପ୍ରଶାସନ ସହାୟ ହେଉଛନ୍ତି |