ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ହାତୀକୁ ପୋଡ଼ି ଦେବା ଘଟଣାରେ ନିଲମ୍ବିତ ବନ କର୍ମଚାରୀଙ୍କୁ ଆଜି ଗିରଫ କରିଛି ବନ ବିଭାଗ। ସେମାନେ ହେଲେ ଜେନାବିଲ ରେଞ୍ଜର ଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ ଦାସ। ଏହି ୩ଜଣଙ୍କୁ ପୂର୍ବରୁ ନିଲମ୍ବିତ କରାଯାଇଥିଲା।
ଗତ ୧୦ ତାରିଖରେ ଶିମିଳିପାଳର ନଅଣା ରେଞ୍ଜରୁ ଏକ ହାତୀର ଜୀବାଶ୍ମ ଉଦ୍ଧାର ହୋଇଥିଲା। ଶିକାରୀଙ୍କ ହାତରେ ପ୍ରାଣ ହରାଇଥିବା ଏହି ଦନ୍ତାକୁ ଅଭିଯୁକ୍ତ ବନ କର୍ମଚାରୀମାନେ ପୋଡ଼ି ହାଡ଼ ଆଦିକୁ ନଦୀରେ ଭସାଇ ଦେଇଥିଲେ। ଏହା ପ୍ରାୟ ମାସେ ପୂର୍ବର ଘଟଣା ହୋଇଥିବା ବେଳେ ଗତ ୧୦ ତାରିଖରେ ଏହା ଲୋକଲୋଚନକୁ ଆସିଥିଲା।ଏହି ଘଟଣାରେ ୩ ବନ କର୍ମଚାରୀ ସମ୍ପୃକ୍ତ ଥିବା ତଦନ୍ତରୁ ଜଣା ପଡ଼ିଥିବା ବେଳେ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ସେମାନେ ମୃତ ହାତୀକୁ ପୋଡ଼ିଥିଲେ ବୋଲି ସ୍ୱୀକାର କରିଥିଲେ। କିନ୍ତୁ ହାତୀକୁ ମାରି ନଥିବା କହିଥିଲେ।