ବୌଦ୍ଧ ଜିଲ୍ଲାରେ ଦଣ୍ଡନୃତ୍ୟକୁ ଅନୁମତି ଦେବାକୁ ଜନ ଅଧିକାର ସୁରକ୍ଷା ମଞ୍ଚର ଦାବି

0 2,943

ବୌଦ୍ଧ,୨୦/୩- ବୌଦ୍ଧ ଜିଲ୍ଲା ଦଣ୍ଡ ନୃତ୍ୟର ଉତ୍ପତ୍ତିସ୍ଥଳ ଓ ଏ ଅଂଚଳର ଆଧ୍ଯାତ୍ମିକ ଭାବଧାରା ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ l କରୋନା ଯୋଗୁଁ ଗାଆଁକୁ ଗାଆଁ ଯାଇ ଦଣ୍ଡ ନୃତ୍ୟ କରିବା ଉପରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଗତ 18 ତାରିଖରେ ଲଗାଇଥିବା ପ୍ରତିବନ୍ଧକ ଉପରେ ଅସନ୍ତୋଷ ପ୍ରକାଶ କରିଛି ବୌଦ୍ଧ ଜିଲ୍ଲା ଜନ ଅଧିକାର ସୁରକ୍ଷା ମଞ୍ଚ l ଜିଲ୍ଲାପାଳ ତାଙ୍କ ଆଦେଶର ପୁନଃବିଚାର କରି ଦଣ୍ଡ ଯାତ୍ରାକୁ ଅନୁମତି ଦେବାକୁ ଅନୁରୋଧ କରିଛି ମଞ୍ଚ l ଜନ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଅବଦୁଲ୍ ହଲିମ୍ ଖାନ୍ ଓ ଆବାହକ ସତ୍ୟଜିତ କୁମାର ପଣ୍ଡାଙ୍କ ନେତୃତ୍ବରେ ଦଣ୍ଡ ଯାତ୍ରା ଆୟୋଜକ ମାନଙ୍କ ସହ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ବ୍ୟକ୍ତିଗତ ସହାୟକଙ୍କୁ ଏକ 5 ଦଫା ଦାବିପତ୍ର ପ୍ରଦାନ କରିଛନ୍ତି | ଜନ ଅଧିକାର ସୁରକ୍ଷା ମଞ୍ଚ କହିଛି ଦଣ୍ଡ ଯାତ୍ରା ବନ୍ଦ ହେଲେ ଶୈବ ପୀଠର ସେବାୟତ, କଳାକାର ଓ ଭକ୍ତଙ୍କ ଜୀବନ ଜୀବିକା ଏବଂ ଆଧ୍ୟାମିିକ ଭାବନାରେ ସଂକଟ ଆସିବ l ସେହିପରି ଭକ୍ତ ମାନଙ୍କ ଅଭୀଷ୍ଟ ପୂରଣ ପରେ କିମ୍ବା ମାନସିକ ରଖି ଦଣ୍ଡକୁ ବରଣ କରି ଦେବ ଋଣ ପରିଶୋଧ କରିବାର ବିଶ୍ବାସ ରଖିଥାନ୍ତି l ଦଣ୍ଡ ନ ରଖିଲେ ନିଜ ପୁଅ ଝିଅଙ୍କ ବିବାହ କାର୍ଯ୍ୟ କରନ୍ତି ନାହିଁ | ସେଥିପାଇଁ ସେମାନଙ୍କ ମାଙ୍ଗଳିକ କାର୍ଯ୍ୟରେ ବିଳମ୍ବ ଘଟୁଛି l ଏହା ସହିତ ମଞ୍ଚ କହିଛି ଜିଲ୍ଲାରେ ବହୁ ଲୋକ ସମାଗମରେ ବିବାହ, ବ୍ରତ, ମାଙ୍ଗଳିକ କାର୍ଯ୍ୟ, ମୃତାହ କାର୍ଯ୍ୟ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସଭା / ସମାବେଶ ହୋଇ ପାରୁଥିବା ବେଳେ ଦଣ୍ଡ ଯାତ୍ରାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି | ଗଞ୍ଜାମ ଭଳି କରୋନାର ହଟସ୍ପଟ୍ ଜିଲ୍ଲାରେ ଜିଲ୍ଲାପାଳ ଦଣ୍ଡଯାତ୍ରାକୁ ଅନୁମତି ଦେଇଥିବା ବେଳେ ଆମ ଜିଲ୍ଲାରେ ବନ୍ଦ କରାଯିବା ଦଣ୍ଡ ଯାତ୍ରା ସହ ସମ୍ପୃକ୍ତ ଥିବା ଲୋକଙ୍କୁ ନିରାଶ କରିଛି ବୋଲି ମଞ୍ଚ ଦାବି କରିଛି | 200 ଲୋକଙ୍କ ସମାଗମରେ ଓ କୋଭିଡ୍ ପ୍ରୋଟୋକଲ୍ ମଧ୍ୟରେ ଦଣ୍ଡ ଯାତ୍ରାକୁ ଅନୁମତି ପ୍ରଦାନ କରାଯାଉ ଓ ଦଣ୍ଡ ସୁଆଙ୍ଗ ମଝିରେ ମଝିରେ କରୋନା ସଚେତନତା ବାର୍ତ୍ତା ଗାଆଁ ଗାଆଁ ରେ ପ୍ରଚାର ସୁଯୋଗ ସୃଷ୍ଟି କରାଯାଉ ବୋଲି ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି | ଅନ୍ୟ ମାନଙ୍କ ମଧ୍ୟରେ ଆଇନ୍ ପରାମର୍ଶ ଦାତା ପରଦେଶୀ ବେହେରା, ଦଣ୍ଡ ଯାତ୍ରା ଆୟୋଜକ ତ୍ରିନାଥ ଖମାରୀ (ମାନେଶ୍ୱର), ହୃଦାନନ୍ଦ ଦେହୁରୀ ( ଚଣ୍ଡିଗଡ), ତରଣି ସେନ୍ ବଡମାଳୀ (ବଲାକିରା), ସୁବାଷ ଖମାରୀ ( ଚାରିଶମ୍ଭୁ) ସ୍ୱପ୍ନେଶ୍ୱର ବଡମାଳୀ (ଭୈରବୀ), ତରଣି ସେନ୍ ବଡମାଳୀ (ସିଦ୍ଧପୁର), କୁମର ପ୍ରଧାନ, ଚୈତନ୍ୟ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ |

hiranchal ad1
Leave A Reply

Your email address will not be published.

thirteen + 20 =