ବାଲିଗୁଡ଼ା,୧୭/୩:କନ୍ଧମାଳର ରାଜକୁମାର ଏବେ କେରଳର ପପୁଲାର୍ ସିନେ ଷ୍ଟାର । କୁହାଯାଏ ଯେ, ପ୍ରତ୍ୟେକ ମଣିଷର କିଛି ନା କିଛି ସ୍ୱପ୍ନ ଥାଏ । ହେଲେ କେବଳ ତା’ର ହିଁ ସ୍ୱପ୍ନ ସତ ହୁଏ, ଯାହା ପାଖରେ ଥାଏ ସ୍ୱପ୍ନକୁ ସତ କରିବାର ଜୋଶ୍, ଦୃଢ଼ ଇଚ୍ଛା ଶକ୍ତି ଓ ଆତ୍ମ ବିଶ୍ୱାସ। ଆଉ ଏହାର ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି ଓଡ଼ିଶାର କନ୍ଧମାଳ ଜିଲ୍ଲାରେ । ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଇଥିବା କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳର ରାଜକୁମାର ଏବେ କେରଳର ପପୁଲାର୍ ସିନେଷ୍ଟାର। ଦାଦନ ଖଟିବାକୁ ଯାଇ ଏବେ ମାଲାୟଲମ ଫିଲ୍ମରେ ଅଭିନୟ କରୁଛନ୍ତି ରାଜକୁମାର। କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳର ବାସିନ୍ଦା ରାଜକୁମାର, ସ୍କୁଲରେ ପାଠପଢ଼ା ସାରି ୨୦୧୨ ମସିହାରେ ତୁମୁଡ଼ିବନ୍ଧ କଲେଜରେ ଯୁକ୍ତ ଦୁଇରେ ନାମ ଲେଖାଇଥିଲେ। ହେଲେ ଅଭାବ ଅନଟନ ପାଇଁ ପାଠପଢ଼ାରେ ବାନ୍ଧିବାକୁ ପଡ଼ିଥିଲା ଡୋରି । ପରିବାରର ଆର୍ଥିକ ଅବସ୍ଥା ତାଙ୍କୁ ବାଧ୍ୟ କରିଥିଲା ଦାଦନ ଖଟିବା ପାଇଁ। ଏଥିପାଇଁ ସେ ଚାଲିଯାଇଥିଲେ କେରଳ ଦାଦନ ଖଟିବାକୁ । ସେଠାରେ ଏକ ହୋଟେଲରେ କାମ କରିବା ସହ ଏକ ଜିମ ସେଣ୍ଟରରେ ବଡି ବିଲ୍ଡିଂ କରିଥିଲେ ରାଜକୁମାର। ଆଉ ଏହି ଜିମରେ ହିଁ ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରୀର କିଛି କଳାକାରଙ୍କ ସଂସ୍ପର୍ଶରେ ଆସିଥିଲେ ସେ। ଆଉ ସେଠାରୁ ହିଁ ବଦଳିଯାଇଥିଲା ତାଙ୍କ ଜୀବନର ମୋଡ଼। ଏବେ ରାଜକୁମାର ବନିଯାଇଛନ୍ତି ମାଲାୟଲମ ସିନେମା ଦୁନିଆର ପପୁଲାର ଷ୍ଟାର। ସେ ବର୍ତ୍ତମାନ ସୁଦ୍ଧା ୬ଟି ଫିଲ୍ମରେ ଅଭିନୟ କରିସାରିଲେଣି। ଇଣ୍ଡଷ୍ଟ୍ରିର ବହୁତ ବଡ଼ ବଡ଼ କଳାକାରଙ୍କ ସହ ପରଦାରେ ନଜର ଆସିସାରିଲେଣି ରାଜକୁମାର୍ । ରାଜକୁମାରଙ୍କ ସଫଳତା ପାଇଁ କେବଳ ତାଙ୍କ ପରିବାର ନୁହେଁ ବର ପୂରା କନ୍ଧମାଳ ଜିଲ୍ଲା ଆଜି ଗର୍ବିତ । ଆଗାମୀ ଦିନରେ ଯଦି ଓଡ଼ିଆ ସିନେମାରେ ତାଙ୍କୁ ସୁଯୋଗ ମିଳେ ତେବେ କନ୍ଧମାଳ ଜିଲ୍ଲା ସମେତ ସାରା ଓଡ଼ିଶାରେ ତାଙ୍କର ନାଁ ହେବ ବୋଲି ଆଶା ବାନ୍ଧିଛନ୍ତି ପରିବାର ଲୋକେ ଓ ଅଞ୍ଚଳବାସୀ ।