ବୌଦ୍ଧ : ବୌଦ୍ଧ ବ୍ଲକ ଟିକରପଡା ଗ୍ରାମ ପଞ୍ଚାୟତ ଅଂଚଳରୁ ଚେନ୍ନାଇକୁ କାମ କରିବାକୁ ଯାଇ ଲକଡାଉନ ଯୋଗୁଁ ଫସି ରହିଥିଲେ ୫ଜଣ ଶ୍ରମିକ । ସେମାନେ ସାଇକଲେ ମାଡି ସୁଦୂର ଚେନ୍ନାଇରୁ ଫେରିଆସିଥିଲେ ନିଜ ଜନ୍ମମାଟିକୁ । ଟିକରପଡା ଫେରି ସଙ୍ଗରୋଧରେ ରହିବା ପାଇଁ ଅନୁରୋଧ କରିଥିଲେ ଗ୍ରାମ ପଞ୍ଚାୟତର ସରପଞ୍ଚ ବିଜୟ ମାହାରଙ୍କୁ । ହେଲେ କ୍ୱାରାଣ୍ଟାଇନ ସେଣ୍ଟରରରେ କାହାକୁ ରଖିବା ପାଇଁ ତାଙ୍କୁ ବିଡିଓ ମନା କରିଥିବା ସରପଞ୍ଚ କହିଥିଲେ । ପ୍ରବାସୀ ଶ୍ରମିକମାନେ ଏକଥା ଶୁଣି ହତାଶ ହୋଇଥିଲେ । ଏଭଳି ପରିସ୍ଥିତିରେ ଘରକୁ ଯିବା ମଧ୍ୟ ସୁରକ୍ଷିତ ନୁହେଁ ଭାବି ସେମାନେ ପୁଣି ୧୦ କିଲୋମିଟର ସାଇକେଲ ମାଡି ଆସିଥିଲେ ବଘିଆପଡା ପୁଲିସ ଫାଣ୍ଡିକୁ । ପୁଲିସ ଫାଣ୍ଡି ଅଧିକାରୀ ସବୁ ଘଟଣା ଶୁଣିବା ପରେ ସରପଞ୍ଚଙ୍କୁ ଡକାଇ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ପରାମର୍ଶ ଦେଇ ସମସ୍ୟାର ସମାଧାନ କରାଇଥିଲେ ।